କଟକରେ ରାଜ୍ୟ ସଭାପତିଙ୍କ ପୈାର ନିର୍ବାଚନ ପ୍ରଚାର: ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ବିକାଶ ନାହିଁ : ସମୀର ମହାନ୍ତି

ସହରାଂଚଳରେ ବସ୍ତିବାସିନ୍ଦାଙ୍କ ସମେତ ଗରୀବ ଲୋକମାନେ ରାସନ କାର୍ଡ, ପକ୍କାଘର, ପାନୀୟ ଜଳ, ବିଧବା ଓ ବାର୍ଧ୍ୟକ୍ୟ ଭତା ଆଦି ପାଇବାରୁ ବଂଚିତ ହୋଇଛନ୍ତି

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌)ତା ୧୮/୦୩: ନିର୍ବାଚନ ସମୟରେ ରାଜ୍ୟର ସରଳ ଓ ଗରୀବ ଭୋଟରଙ୍କୁ ମିଛ ସପ୍ନ ଦେଖାଇ ଏବଂ ପ୍ରଲୋଭିତ କରି କେବଳ ପ୍ରତାରଣା ଦେଇ ଆସୁଛି ଶାସକ ବିଜେଡି । ମିଛ ବିଲ୍ କରି କେନ୍ଦ୍ରରୁ ଆସୁଥିବା କୋଟି କୋଟି ଟଙ୍କା ବିଜେଡିର ସ୍ଥାନୀୟ ନେତା ଓ କର୍ମୀମାନେ ନିଜ ଭିତରେ ବାଂଟି ନେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ସମେତ ଅନେକ କେନ୍ଦ୍ରୀୟ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ପରିବର୍ତେ ଦଳୀୟ ଭିତିରେ ଧନୀ ବିଜେଡି କର୍ମୀଙ୍କୁ ବଂଟନ କରି ଗରୀବ ଜନତାଙ୍କୁ ପ୍ରତାରଣା କରୁଛନ୍ତି ରାଜ୍ୟ ସରକାର ।

ଶାସକ ବିଜେଡିର ଆନ୍ତରିକତା ଓ ଇଚ୍ଛାଶକ୍ତି ଅଭାବ ସମେତ ବ୍ୟାପକ ମାତ୍ରାରେ ଦୁର୍ନୀତି କାରଣରୁ ଆଜି ଓଡିଶା ରାଜ୍ୟ ବିକାଶ ମାନଚିତ୍ରରେ ବହୁ ପଛରେ ରହିଯାଇଛି । ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ବିକାଶ ନାହିଁ । ରାଜ୍ୟର ସହରାଂଚଳରେ ମଧ୍ୟ ସମାନ ପରିସ୍ଥିତି । ବସ୍ତିବାସିନ୍ଦାଙ୍କ ସମେତ ଗରୀବ ଲୋକମାନେ ରାସନ କାର୍ଡ, ପକ୍କାଘର, ପାନୀୟ ଜଳ, ବିଧବା ଓ ବାର୍ଧ୍ୟକ୍ୟ ଭତା ଆଦି ପାଇବାରୁ ବଂଚିତ ହୋଇଛନ୍ତି । ଆନ୍ତରିକତାର ଅଭାବ କାରଣରୁ ଜାଇକା ପ୍ରକଳ୍ପ ଆଜି କଟକବାସିନ୍ଦାଙ୍କ ପାଇଁ ବିରାଟ ଚିନ୍ତାର କାରଣ ସାଜିଛି । ନାଳ ନର୍ଦ୍ଦମା, ରାସ୍ତାଘାଟ ଭଳି ବିଭିନ୍ନ ମୈାଳିକ ସୁବିଧା ଓ ଭିତିଭୁମିରୁ ବଂଚିତ ହୋଇଛନ୍ତି ସହରାଂଚଳବାସୀ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କଟକ ମହାନଗର ନିଗମର ବିଭିନ୍ନ ଅଂଚଳ ବୁଲି ପ୍ରଚାର ଅବସରରେ କହିଛନ୍ତି ।

ମୋଦୀ ସରକାର ସର୍ବଦା ସାମଗ୍ରିକ ବିକାଶର ନୀତିରେ ବିଶ୍ୱାସ କରନ୍ତି । ମୋଦିଜୀଙ୍କ ମୂଳମନ୍ତ୍ର “ସବ୍‌କା ସାଥ୍‌, ସବ୍‌କା ବିକାଶ୍‌, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ” । ମୋଦି ସରକାର ଅମଳରେ ଓଡିଶାର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର କେନ୍ଦ୍ରୀୟ ଆର୍ଥିକ ଅନୁଦାନ ମିଳିଥିବା ସତ୍ୱେ ରାଜ୍ୟରେ ବିକାଶ ଠପ୍ ରହିଛି । ଶାସକ ବିଜେଡିର ଶୋଷଣ ଓ ପ୍ରତାରଣା ଫଳରେ କଟକ ତା’ର ପ୍ରକୃତ ସ୍ଥିତି ହରେଇ ବସିଛି । ରାଜ୍ୟର ସର୍ବପୁରାତନ ସହର କଟକର ସାମଗ୍ରକ ବିକାଶ ପାଇଁ ଏକ ଦୃଢ, ସଂକଳ୍ପବଦ୍ଧ ଏବଂ ଇଚ୍ଛାଶକ୍ତି ରହିବା ନିହାତି ଆବଶ୍ୟକ । ପ୍ରତ୍ୟେକ ଲୋକଙ୍କ ପାଖରେ ପକ୍କାଘର, ପାନୀୟ ଜଳ, ରୋଷେଇ ଗ୍ୟାସ, ବ୍ୟାଂକ ବ୍ୟବସ୍ଥାର ସୁବିଧା ପହଁଚାଂଇ ସେମାନଙ୍କୁ ମୁଖ୍ୟ ସ୍ରୋତରେ ଆଣିବା ଭାରତୀୟ ଜନତା ପାର୍ଟିର ମୁଳ ଲକ୍ଷ୍ୟ । ଡିଜିଟାଲ ଭାରତ ଗଠନ ନିମନ୍ତେ ଡିଜିଟାଲ ମୁଦ୍ରା ପ୍ରଚଳନ, ୫-ଜି ଟେଲିକମ ସେବା, ବନ୍ଦେ ଭାରତ ଏକ୍ସପ୍ରେସ ରେଳର ପ୍ରଚଳନ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି କଟକ ମହାନଗର ନିଗମ ଅନ୍ତର୍ଗତ ୧୭ ଓ ୨୫ ନମ୍ବର ୱାର୍ଡର ବିଭିନ୍ନ ଅଂଚଳ ବୁଲି ମେୟର ପ୍ରାର୍ଥୀ ଶ୍ରୀତମ ଦାଶଙ୍କ ସମେତ ସ୍ଥାନୀୟ କର୍ପୋରେଟରଙ୍କ ସପକ୍ଷରେ ଘରକୁ ଘର ବୁଲି ପ୍ରଚାର କରିଥିଲେ । କଟକ ସହର ହେଉଛି ଭାଇଚାରାର ସହର । ଦୋଳ ହେଉଛି ଆମର ପରମ୍ପରା । ପବିତ୍ର ଦୋଳ ମେଲଣର ଶେଷ ଦିନରେ କଟକ ସହରରେ କଟକବାସୀଙ୍କ ସହିତ ଉପସ୍ଥିତି ଥିବାରୁ ବହୁତ ଆନନ୍ଦିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।