ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ଶହେ ତଳେ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ଶହେ ତଳେ ଯାହାକି କ୍ରମଶଃ ହ୍ରାସ ପାଇବାରେ ଲାଗିଛି । କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି, ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ ହଠାତ୍ ଉଦ୍ଧ୍ୱର୍ମୁଖୀ ହେବାରେ ଲାଗିଥିଲା । ମାତ୍ର ଫେବୃଆରୀ ମାସ ଆରମ୍ଭରୁ ପୁଣି ଥରେ ସଂକ୍ରମଣ କମିବାରେ ଲାଗିଥିଲା । ଏହାପରେ ଚଳିତ ମାର୍ଚ୍ଚ ମାସରେ ମଧ୍ୟ ଧୀରେଧୀରେ ଦୈନିକ ପଜିଟିଭ୍ ଓ ମୃତ୍ୟୁ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୩୦୧୦୬୩୬୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ସୂଚନା ଅନୁଯାଇ, ଗତ ୨୪ଘଂଟାରେ ୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୨ ଓ ସ୍ଥାନୀୟ ଅଞ୍ଚଳରୁ ୩୦ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୧୫ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୧୦୮ରେ ପହଞ୍ଚିଛି ।

ସେହିପରି,ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୨୭୧ ରହିଥିବା ବେଳେ ୬୬୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଅଛି।