ମୋଦୀଙ୍କୁ ଚାପୁଡ଼ାଏ ଦେଲେ ନୀତି ଶ୍ରେଷ୍ଠ ନୀତୀଶ

ତାଙ୍କର ସେଦିନର କଥା ଆଜି ପ୍ରମାଣିତ ହୋଇଛି…..

ପାଟନା: ବିଜେପିର ସର୍ବେସର୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବେଶ ଭଲକରି ଚାପୁଡ଼ାଏ ମାରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଔଦ୍ଧତ୍ୟର ସୀମା ଟପିଥିଲେ ମୋଦୀ, ପ୍ରଧାନମନ୍ତ୍ରୀ ହେବାପରେ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କୁ ହୀନ ଦୃଷ୍ଟିରେ ଦେଖୁଥିଲେ, ଖାସ୍‌ କରି ବିହାର ବିଧାନସଭା ନିର୍ବାଚନରେ ଜେଡିୟୁଠାରୁ ଅଧିକ ଆସନ ପାଇବା ପରେ ବିଜେପି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ନଚାଇବାକୁ ବସିଥିଲା । ଜେଡିୟୁର ୧୭ ଜଣ ସାଂସଦ ଥିଲେ ମଧ୍ୟ ଗୋଟିଏ ମନ୍ତ୍ରୀପଦ ଯାଚିଥିଲେ ମୋଦୀଜୀ । ଏ ପ୍ରକାର ଅପମାନକୁ ନୀତୀଶ ନିରବତାର ସହ ସହିଗଲେ । ମଉକା ଦେଖି ମୋଦୀଜୀଙ୍କୁ ଠିକଣା ଜବାବ ଦେଇ ଅପମାନର ପ୍ରତିଶୋଧ ନେଇଗଲେ ।

ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବାପରେ ମୋଦୀଜୀ ନିଜକୁ ଭାରି ଚାଲାକ ଭାବୁଥିଲେ । ମାତ୍ର ନୀତୀଶ ଦେଖାଇଦେଲେ ଯେ ସେ ମୋଦୀଜୀଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି । ୧୯୭୦ ଦଶକର ଶେଷ ସମୟର କଥା । ସେତେବେଳେ ନୀତୀଶ ଛାତ୍ରନେତା ଭାବେ ଲୋକପ୍ରିୟ ଥିଲେ । ଦିନେ ସନ୍ଧ୍ୟାବେଳେ ପାଟନାର ଗୋଟିଏ କଫି ହାଉସ୍‌ରେ ସାଙ୍ଗସାଥିଙ୍କ ଗହଣରେ ବସି ବିହାର ରାଜନୀତି କଥା ଆଲୋଚନା କରୁଥିଲେ । ସାଙ୍ଗଭିତରୁ ଜଣେ କହିଲା, ଯେଉଁ ଲକ୍ଷ୍ୟ ନେଇ କର୍ପୁରୀ ଠାକୁର ମୁଖ୍ୟମନ୍ତ୍ରୀ ହୋଇଥିଲେ, ତାହା ପୂରଣ କରିପାରୁନାହାନ୍ତି ।

ସାଙ୍ଗମୁହଁରୁ ସେପରି କଥା ଶୁଣି ନୀତୀଶ ତତ୍‌କ୍ଷଣାତ୍‌ କହିଥିଲେ, ‘ମୁଁ ଯେକୌଣସି ମତେ ବିହାର ମୁଖ୍ୟମନ୍ତ୍ରୀ ହେବି, ସବୁକିଛି ଠିକ୍‌ କରିଦେବି ।’ ତାଙ୍କର ସେଦିନର କଥା ଆଜି ପ୍ରମାଣିତ ହୋଇଛି । ତାଙ୍କ ଦଳ କମ୍‌ ଆସନ ପାଇଥିଲେ ମଧ୍ୟ ରାଜନୈତିକ ଗଣିତରେ ସେ ୧୬୪ ବିଧାୟକଙ୍କ ସମର୍ଥନ ଜୁଟାଇ ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ।