ଅଗଷ୍ଟ ୩୧ରୁ କମିବ ବିମାନ ଭଡ଼ା

ନୂତନ ନିୟମ ଅନୁସାରେ ପ୍ରତି ୧୫ ଦିନରେ ବିମାନ ଭଡ଼ା ବଦଳିବ…

ନୂଆଦିଲ୍ଲୀ: ଅଗଷ୍ଟ ୩୧ ତାରିଖରୁ ବିମାନ ଯାତ୍ରା ଟିକେଟ୍‌ ସାମାନ୍ୟ କମିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ନିଷ୍ପତି ଅନୁସାରେ ଏଣିକି ଏୟାରଲାଇନ୍ସ ଟିକେଟ୍‌ ମୂଲ୍ୟ ଧାର୍ଯ୍ୟ କରିବ । କରୋନା ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତି ବିମାନ ଟିକେଟ୍‌ ଉପରୁ ଏୟାର ଫେୟାର କ୍ୟାପ୍‌ ଆଦାୟ କରୁଥିଲେ । ଆଉ ବିମାନ ଭଡ଼ା ଉପରେ କୌଣସି ମାହାସୁଲ ଆଦାୟ କରିବା ଅନାବଶ୍ୟକ ବୋଲି ସରକାରଙ୍କ ହୃଦବୋଧ ହୋଇଛି ।

ନୂତନ ନିୟମ ଅନୁସାରେ ପ୍ରତି ୧୫ ଦିନରେ ବିମାନ ଭଡ଼ା ବଦଳିବ । ସଂକ୍ଷେପରେ କହିଲେ, ବିମାନ ଟିକେଟ୍‌ର ମୂଲ୍ୟ ୧୫ ଦିନ ପାଇଁ ଅପରିବର୍ତ୍ତିତ ରହିବ । ତା’ପରେ କିଣା ଯାଇଥିବା ବିମାନ ଟିକେଟ୍‌ ମୂଲ୍ୟ କମିପାରେ ନଚେତ୍‌ ବଢ଼ିପାରେ । ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ଇଣ୍ଡିଗୋ, ସ୍ପାଇସ୍‌ଜେଟ୍‌, ଏୟାର ଇଣ୍ଡିଆ, ବିସ୍ତାରା ଓ ନୂଆ ଏୟାରଲାଇନ୍ସ ଅକାସା ସମେତ ଅନ୍ୟ ବିମାନ ସେବା ସଂସ୍ଥା ।

ଉଦାହରଣ, କୌଣସି ବ୍ୟକ୍ତି ଅଗଷ୍ଟ ୧୫ ତାରିଖ ଦିନ ଅହମ୍ମଦାବାଦରୁ ମୁମ୍ବାଇ ଯାତ୍ରା କରିବା ଉଦ୍ଦେଶ୍ୟରେ ୧୦ ତାରିଖ ଦିନ ଟିକେଟ୍‌ କିଣିବାକୁ ଚାହିଁଲେ, ତାଙ୍କୁ ଅକାସା ଏୟାର ଲାଇନ୍‌ ଧାର୍ଯ୍ୟ ଭଡ଼ା ମୁତାବକ ୪୨୦୦ ଟଙ୍କା ଦେବାକୁ ପଡ଼ିବ । ତେବେ ଉକ୍ତ ଦେୟ ୧୫ ଦିନ ପାଇଁ ଅର୍ଥାତ୍‌ ୧୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ । ଦୈବାତ୍‌ କ୍ରମେ ସଂପୃକ୍ତ ଯାତ୍ରୀ ୧୫ ତାରିଖ ଦିନ ଯାତ୍ରା କରି ନପାରି ୨୫ ତାରିଖରେ ଯାତ୍ରା କରିବାକୁ ଚାହିଁଲେ, ତାଙ୍କୁ ୨୧୦୦ ଟଙ୍କାରେ ଟିକେଟ୍‌ ମିଳିଯିବ ।