ପଞ୍ଜାବରେ ହେଲାନି କଂଗ୍ରେସ-ଆପ୍‌ ବୁଝାମଣା

ଚଣ୍ଡିଗଡ଼: ଦିନକୁ ଦିନ ଇଣ୍ଡିଆ ମେଂଟ ଦୁର୍ବଳ ହେଉଛି । ତା’ର ଫାଇଦା ବିଜେପି ମେଂଟ ଉଠାଇବା ସୁନିଶ୍ଚିତ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହିଁ ପ୍ରଥମେ ଇଣ୍ଡିଆ ମେଂଟର ସୂତ୍ରଧର ଥିଲେ । ନୀତୀଶ ଏବେ ମୋଦିଙ୍କ ଶରଣାପନ୍ନ । ୟୁପିରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ଭିତରେ ତୁ ତୁ ମେଁ ମେଁ । ଦିଲ୍ଲୀରେ କଂଗ୍ରେସକୁ କ୍ଷମତାଚ୍ୟୁତ କରି ଆପ୍‌ ସରକାର ଗଠନ କରିବା ପରଠାରୁ କଂଗ୍ରେସ-ଆପ୍‌ ଭିତରେ ଅହି-ନକୁଳ ସଂପର୍କ ପ୍ରତିଷ୍ଠା ହୋଇସାରିଛି ।

କେବଳ ନୀତୀଶଙ୍କ କଥାକୁ ମାନି ଅରବିନ୍ଦ ଜାତୀୟ ରାଜନୀତିରେ କଂଗ୍ରେସର ନେତୃତ୍ୱକୁ ସ୍ୱୀକାର କରିଥିଲେ । କିନ୍ତୁ ନିଜେ ନୀତୀଶ ଯେତେବେଳେ ବିଜେପି ଗୋଠରେ ମିଶିଗଲେ; କଂଗ୍ରେସ-ଆପ୍‌ ବୁଝାମଣା ପ୍ରଶ୍ନ ଉଠୁନି ।ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ପଞ୍ଜାବର ସବୁ ଲୋକସଭା ଆସନରେ ଆପ୍‌ ଲଢ଼ିବ । ଏଭଳି ଘୋଷଣା କରି ଅରବିନ୍ଦ କଂଗ୍ରେସକୁ ଜଣାଇ ଦେଇଛନ୍ତି ଯେ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଂଟର ସବୁ ରାଜନୈତିକ ଦଳ ଆପଣା ଆପଣା ଦମ୍‌ରେ ଲଢ଼ନ୍ତୁ ଓ ଜିତନ୍ତୁ । ନିର୍ବାଚନର ପରିଣାମ ଘୋଷଣା ପରେ ମେଂଟ କଥା ବିଚାର କରିବା ।