ଆମେଥି ଓ ରାଏ ବରେଲିରୁ ଲଢ଼ିବେ ରାହୁଲ ଓ ପ୍ରିୟଙ୍କା
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେଥି ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଏ ବରେଲି ଲୋକସଭା ଆସନରୁ ଲଢ଼ିବା ପାଇଁ ୟୁପି କଂଗ୍ରେସ ନିର୍ବାଚନ କମିଟି ପ୍ରସ୍ତାବ ଅନୁମୋଦନ କରିଛି ।ଶୁକ୍ରବାର ଦିନ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା । ସେଥିରେ ରାହୁଲ ଗାନ୍ଧୀ କେରଳ ବାୟନାଡ଼ରୁ ଲଢ଼ିବାର ଏକ ପ୍ରକାର ସ୍ଥିର ହୋଇଛି ।
ତେବେ ଆମେଥି ଓ ରାଏ ବରେଲି ସହିତ ଗାନ୍ଧୀ-ନେହୁରୁ ପରିବାର ଜଡ଼ିତ ରହିଥିବାରୁ ରାହୁଲ ଚାହିଁଲେ ଆମେଥିରୁ ନିର୍ବାଚନ ଲଢ଼ିପାରିବେ ବୋଲି ୟୁପି କଂଗ୍ରେସ ମୁଖ୍ୟ ଅଜୟ ରାଏ କହିଛନ୍ତି ।ସୋନିଆ ଗାନ୍ଧୀ ରାଏ ବରେଲି ଆସନକୁ ପ୍ରତିନିଧିତ୍ୱ କରି ଆସୁଥିଲେ । ସେ ଏଥର ରାଜ୍ୟସଭାକୁ ଯାଇଛନ୍ତି । ତେଣୁ ତାଙ୍କ ଆସନଟି ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ଛାଡ଼ି ଦିଆଯାଇଛି ।
୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ହାତରୁ ଆମେଥି ଚାଲିଯାଇଥିଲା ବିଜେପି ନେତ୍ରୀ ସ୍ମୃତି ଈରାନୀଙ୍କ ହାତକୁ ।ଅଜୟ କହିଛନ୍ତି ଯେ ୟୁପି କଂଗ୍ରେସ ନିର୍ବାଚନ କମିଟି ରାହୁଲ ଓ ପ୍ରିୟଙ୍କାଙ୍କ ପାଇଁ ଆମେଥି ଓ ରାଏ ବରେଲି ଆସନ ସଂରକ୍ଷିତ ରଖିଛି । ମାତ୍ର କେନ୍ଦ୍ରୀୟ ନିର୍ବାଚନ କମିଟି ଉପରେ ସବୁକିଛି ନିର୍ଭର କରୁଛି ।