‘ଓସ୍କାର ୨୦୨୪’ରେ ଭାରତ ଜିରୋ

ନୂଆଦିଲ୍ଲୀ: ‘ଓସ୍କାର ୨୦୨୪’ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଭାରତର ଅନୁପସ୍ଥିତି ବହୁ ଭାରତୀୟ ଚଳଚ୍ଚିତ୍ର ପ୍ରେମୀଙ୍କୁ ନିରାଶ କରିଛି । ଭାରତରେ ହଜାର ହଜାର ପ୍ରଯୋଜକ ଓ ନିର୍ମାତା ଥିଲାବେଳେ ସେମାନଙ୍କ ମୁଣ୍ଡରୁ ଆନ୍ତର୍ଜାତିକ ସ୍ତରର ଚଳଚ୍ଚିତ୍ର ନିର୍ମିତ ହୋଇପାରୁନି । ଏହା ଅତ୍ୟନ୍ତ କ୍ଷୋଭର ବିଷୟ । ଓସ୍କାର ତାଲିକାରେ ଇଟାଲୀ, ଜାପାନ, ସ୍ପେନ୍‌, ଜର୍ମାନୀ ଭଳି ଦେଶଗୁଡ଼ିକର ଚଳଚ୍ଚିତ୍ର ସ୍ଥାନ ପାଉଛନ୍ତି; ମାତ୍ର ୧୪୦ କୋଟି ଜନତାଙ୍କ ଭାରତ ସେଥିରୁ ବାଦ ପଡ଼ିଯାଉଛି ।

୨୦୧୮ରେ ମାଲୟଲମ ଚଳଚ୍ଚିତ୍ର ‘ଏଭ୍ରିୱାନ୍‌ ଇଜ ଏ ହିରୋ’ ଓସ୍କାର ଦୌଡ଼ରେ ଯୋଗଦାନ କରିଥିଲା; ମାତ୍ର କୌଣସି କ୍ୟାଟେଗୋରୀରେ ପୁରସ୍କୃତ ହୋଇପାରିଲାନି । ପ୍ରାକୃତିକ ବିପର୍ଯ୍ୟୟର ମୃତ୍ୟୁମୁଖରୁ ଶତାଧିକ ବିପନ୍ନଙ୍କୁ ବଂଚାଇଥିବା ଜଣେ ସାହସୀ ଚରିତ୍ରକୁ ଆନ୍ତର୍ଜାତିକ ମହଲ ଗ୍ରହଣ କଲାନି । ରାଉଣ୍ଡ ୱାନରେ ଉକ୍ତ ଚଳଚ୍ଚିତ୍ରଟି କାଟ ଖାଇଗଲା ।

୨୦୨୦ରେ ମାଲୟଲମ ଚଳଚ୍ଚିତ୍ର ‘ଜଲିକାଟ୍ଟୁ’ ନିକଟରୁ ଓସ୍କାର ଆଶା କରାଯାଉଥିଲା ।

ଗତବର୍ଷ ‘ଆରଆରଆର’ ଗୀତଟି ଓସ୍କାର ମନୋନୀତ ହୋଇଥିଲା । ମାତ୍ର ଏ ବର୍ଷ ଓସ୍କାର ଦୌଡ଼ରେ ଭାରତର କୌଣସି ଚଳଚ୍ଚିତ୍ର ସ୍ଥାନ ପାଇଥିବା ମନେହୁଏନା ।

ସତରେ କ’ଣ ଆମ ଭିତରେ ଓସ୍କାର ଯୋଗ୍ୟ ଚଳଚ୍ଚିତ୍ର ତିଆରି କରିବାର ଧୂରୀଣ ନିର୍ଦ୍ଦେଶକ ଅବା ନିର୍ମାତା ନାହାନ୍ତି?