ଦେଶର ଜେନ-ଜି ମାନଙ୍କ ସହ ଯୋଡ଼ି ହେବାକୁ ରାହୁଲଙ୍କ ପ୍ରୟାସ

ରାହୁଲ କହିଛନ୍ତି ଯେ ଛାତ୍ରଛାତ୍ରୀ ଏବଂ ଜେନି-ଜିଙ୍କ କଥା ଶୁଣିବା ପାଇଁ ମୁଁ ଅଛି...

ଇନଷ୍ଟାଗ୍ରାମରେ ମୋତେ ଯେକୌଣସି ପ୍ରଶ୍ନ ପଚାରିପାରିବେ

ଦେଶର ଜେନ-ଜି ଗୋଷ୍ଠୀଙ୍କ ସହ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ଅଧରେ ରିଲ୍ସ ସେୟାର କରିଥିଲେ। ଏବେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏ ଦିଗରେ ପଦକ୍ଷେପ ନେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଯୁବ ଗୋଷ୍ଠୀଙ୍କ ସହ ସିଧାସଳଖ ଆଲୋଚନା କରିବା ପାଇଁ ସେ ଇନଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଙ୍ଗ ସେସନ’ (ମୋତେ କିଛି ବି ପଚାରିପାର) ଆରମ୍ଭ କରିଛନ୍ତି।

ଏଥିରେ ଛାତ୍ରଛାତ୍ରୀ ଓ ଜେନ-ଜି ବ୍ୟବହାରକାରୀଙ୍କୁ ପ୍ରଶ୍ନ ପଚାରିବା ପାଇଁ ଆମନ୍ତ୍ରଣ କରାଯାଇଛି।

ରାହୁଲ କହିଛନ୍ତି ଯେ ଛାତ୍ରଛାତ୍ରୀ ଏବଂ ଜେନି-ଜିଙ୍କ କଥା ଶୁଣିବା ପାଇଁ ମୁଁ ଅଛି। ଇନଷ୍ଟାଗ୍ରାମରେ ମୋତେ ଯେକୌଣସି ପ୍ରଶ୍ନ ପଚାରିପାରିବେ। ମୁଁ ଅଧିକରୁ ଅଧିକ ପ୍ରଶ୍ନର ଉତ୍ତର ଦେବାକୁ ପ୍ରୟାସ କରିବି। ଏହା ସହିତ ରାହୁଲ ସାମାଜିକ ଗଣମାଧ୍ୟମରେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀର ଲିଙ୍କ ସେୟାର କରିଛନ୍ତି। ଏହି ଲିଙ୍କକୁ ଯାଇ ବ୍ୟବହାରକାରୀ ନିଜ ପ୍ରଶ୍ନ ପଚାରି ପାରିବେ।

ଏହା ପୂର୍ବରୁ ରାହୁଲ ଆହ୍ଲାବାଦ ୟୁନିଭର୍ସିଟିରେ ଦେୟ ବୃଦ୍ଧି ଏବଂ ସିଟ୍ ହ୍ରାସକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ସମର୍ଥନ ଦେଇଥିଲେ। ସେ ଅଭିଯୋଗ କରିଥିଲେ ଯେ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ପାଇଁ ଲଢେଇ କରୁଛନ୍ତି, କିନ୍ତୁ ପ୍ରଶାସନ ତାଙ୍କ କଥା ଶୁଣିବା ପରିବର୍ତ୍ତେ ଏତଲା ରୁଜୁ କରୁଛି। ଯୁବ ବର୍ଗଙ୍କ ସ୍ବର ଚପାଇବା କେନ୍ଦ୍ର ସରକାରଙ୍କ ନୀତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।