ବିଗତ ୮ ବର୍ଷରେ ମୋଦି ସରକାରଙ୍କ ସଫଳ ଯୋଜନା ଓ ନୀତି ଉପରେ କହିଲେ କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ନୀତି ଓ ବୈଚାରିକ ସ୍ପଷ୍ଟତା ଦ୍ୱାରା ଭାରତ ଅଧିକାରରୁ ସଶକ୍ତିକରଣକୁ ଅଗ୍ରସର ହୋଇଛି-ଧର୍ମେନ୍ଦ୍ର ପ୍ରଧାନ

ଡିଜିଟାଲ ଇଣ୍ଡିଆକୁ ଉପହାସ କରୁଥିବା ଲୋକମାନେ ଆଜି ଡିଜିଟାଲ ଇଣ୍ଡିଆର ଆନନ୍ଦ ଉଠାଉଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର, (ସା କ୍ ସୀ ନ୍ୟୁଜ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି, ବୈଚାରିକ ସ୍ପଷ୍ଟତା ଏବଂ ସଫଳ କ୍ରିୟାନ୍ୱୟନ ଦ୍ୱାରା ଭାରତ ବିଗତ ୮ ବର୍ଷରେ ଅଧିକାରରୁ ସଶକ୍ତିକରଣ ପର୍ଯ୍ୟନ୍ତ ଯାତ୍ରା କରିଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ବିଜେପିର ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ଆତ୍ମନିର୍ଭର ସମାଜ ଗଠନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ସବକା ସାଥ୍-ସବକା ବିକାଶର ଦାୟିତ୍ୱ କେବଳ ନାରା ନ ଥିଲା ଏକ ବିଚାର ଥିଲା । ମୋଦି ସରକାରରେ ଗରିବ ଲୋକମାନେ ଅଧିକାର ପାଇବା ସହ ସଶକ୍ତିକରଣ ଆଡକୁ ପାଦ ଥାପୁଛନ୍ତି । ବିଶ୍ୱର ଅନେକ ଶକ୍ତିଶାଳୀ ରାଷ୍ଟ୍ର କୋଭିଡ୍ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିଲେ । ମାତ୍ର ଦେଶରେ କୋଭିଡର ସଫଳ ପରିଚାଳନା କାରଣରୁ ଦେଶରେ ୨୧୯ କୋଟିରୁ ଅଧିକ ଲୋକଙ୍କୁ ସ୍ୱଦେଶୀ ଟିକା ଲଗାଯାଇଛି ଏବଂ ୩୦ କୋଟି ଟିକା ବିଦେଶକୁ ରପ୍ତାନୀ କରାଯାଇଛି । ୨୦୧୩ରେ ଫ୍ରାଗାଇଲ ଫାଇବ୍ ମଧ୍ୟରେ ଗଣାଯାଉଥିବା ଭାରତ, ଆଜି ଅମୃତ କାଳରେ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିରେ ପରିଣତ ହୋଇସାରିଛି । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଆର୍ଥିକ ନୀତିର ସଫଳତାର ବହୁତ ବଡ ଉପଲବ୍ଧି ।

ଦେଶର ୮୦ ପ୍ରତିଶତ ଜନତାଙ୍କୁ ନିଃଶୁଳ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୃକ୍ତ କରାଯାଇଛି । ଦେଶରେ ଜିଏସଟି ସଂଗ୍ରହ ବୃଦ୍ଧି ପାଇଛି । ଦେଶରେ ୫ ହଜାରରୁ ଅଧିକ ଜନଔଷଧୀ କେନ୍ଦ୍ର ଖୋଲାଯାଇଛି । କ୍ଷୁଦ୍ର ଉଦ୍ୟୋଗୀ ମୁଦ୍ରା ଯୋଜନାରେ ସହାୟତା ପାଉଛନ୍ତି । ଭୋକାଲ ଫର୍ ଲୋକାଲ, ଓ୍ୱାନ ଡିଷ୍ଟ୍ରିକ୍ଟ – ଓ୍ୱାନ୍ ପ୍ରଡକ୍ଟ ସରକାରଙ୍କ ଅର୍ଥନୀତିରେ ପ୍ରାଥମିକ ନୀତି ହୋଇଛି । ଭାରତମାଳା, ସାଗରମାଳା, ଡେଡିକେଟ୍ ଫ୍ରେଟ୍ କୋରିଡର, ଉଡାନ, ଭାରତ ବ୍ରଡ ବ୍ୟାଣ୍ଡ୍ ନେଟଓ୍ୱାର୍କ ଦ୍ୱାରା ଏକବିଂଶ ଶତାବ୍ଦୀର ଭିତ୍ତିଭୂମି ସୁଦୃଢ଼ ହେଉଛି । ଭାରତ ମଧ୍ୟରେ କ୍ରୁଜ୍ ପର୍ଯ୍ୟଟନ ପୁସ୍ତକରେ ଦେଖିବା ସମ୍ଭବ ହୋଇ ରହି ନାହିଁ ବରଂ ଦେଶରେ ଲୋକମାନେ ଏହାର ସୁବିଧା ମଧ୍ୟ ନେଉଛନ୍ତି । ଯୁବକଙ୍କ ରୋଜଗାର, ସ୍ୱରୋଜଗାର ବୃଦ୍ଧି ହେଉଛି । ନିଯୁକ୍ତି ଅନ୍ୱେଷଣ ପରିବର୍ତ୍ତେ ନିଯୁକ୍ତି ଦାତା ହେଉଛନ୍ତି ।

ପ୍ରଥମ ଥର ପାଇଁ ଦେଶର ଉଦ୍ୟୋଗ ଜଗତକୁ ଗତିଶକ୍ତି ଫ୍ରେମଓ୍ୱାର୍କରେ ଯୋଡିବାର ବ୍ୟବସ୍ଥା ହୋଇଛି । ଡିବିଟି ଦ୍ୱାରା ଲୋକମାନେ ଲାଭ ଉଠାଉଛନ୍ତି । ଆଜି ହେଉଥିବା ନୀତି ସମସ୍ତଙ୍କ ପାଇଁ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହୋଇଥିବା ଯୋଜନାରେ ଅନ୍ତର୍ଭୃକ୍ତ ଲାଭାର୍ଥୀମାନେ ଶତ ପ୍ରତିଶତ ଲାଭ ପାଉଛନ୍ତି । ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ କ୍ରୀଡାରେ ପ୍ରୋତ୍ସାହନ ଦେବା ପାଇଁ ଦେଶରେ ୭୦୦ରୁ ଅଧିକ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ହୋଇଛି । ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ସଂରକ୍ଷଣ ଦେବାର ବ୍ୟବସ୍ଥା ହୋଇଛି ।

ଡିଜିଟାଲ ଇଣ୍ଡିଆକୁ ଉପହାସ କରୁଥିବା ଲୋକମାନେ ଆଜି ଡିଜିଟାଲ ଇଣ୍ଡିଆର ଆନନ୍ଦ ଉଠାଉଛନ୍ତି । କୋଓ୍ୱିନ ଆପ୍ ଏହାର ସର୍ବଶ୍ରେଷ୍ଠ ଉଦାହରଣ । ଟିକା ଲଗାଇବା ପରେ ଏକ ସେକେଣ୍ଡରେ ଡିଜିଟାଲ ସାର୍ଟିଫିକେଟ୍ ଆସିପାରୁଛି । ଡିଜିଟାଲ କାରବାରରେ ଭାରତ ବିଶ୍ୱର ଲିଡର ହୋଇଛି । ଛୋଟ ବେପାରୀ ଠାରୁ ବଡ ବ୍ୟବସାୟୀ ଡିଜିଟାଲ କାରବାରକୁ ଆପଣାଇ ସାରିଲେଣି । ସେହିପରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଉଛି । ପ୍ରଧାନମନ୍ତ୍ରୀ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବାର ତିଥି କହିସାରିଛନ୍ତି । କାଶୀ ବିଶ୍ୱନାଥ ଧାମ, ବାବା ବୈଦନାଥ ଧାମ, ମହାକାଳ ଲୋକରୁ ନେଇ ଚତୁଃଧାମ ପର୍ଯ୍ୟନ୍ତ ଭାରତର ଆସ୍ଥାର କେନ୍ଦ୍ରକୁ ଭବ୍ୟ ଭାବରେ ବିକଶିତ କରାଯାଉଛି । ରାଜପଥର ନାମକରଣ କର୍ତବ୍ୟପଥ କରାଯାଇଛି । ନେତାଜୀଙ୍କ ଭବ୍ୟ ପ୍ରତିମୂର୍ତ୍ତି କର୍ତ୍ତବ୍ୟପଥର ଶୋଭା ପଢାଉଛି । ଚଳିତବର୍ଷ ଭାରତ ଜି୨୦ରେ ଅଧ୍ୟକ୍ଷତା କରିବା ଗୌରବ ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।