ବିଧାୟକ ବିଜୟଶଙ୍କର କାହିଁକି ବିଧାନସଭା ଆସୁନାହାନ୍ତି ?

ଟ୍ୱିଟ୍ କରି ବର୍ଷା ବରିହାଙ୍କୁ ଜବାବ ଦେଲେ ଅର୍ପିତା ବଡଜେନା..

କଣ୍ଟାବାଡରେ ଲୁଗାପକାଇ ଝଗଡା କରିବା ବିଜେଡିର ପୁରୁଣା ଅଭ୍ୟାସ – ଅର୍ପିତା

ଭୁବନେଶ୍ୱର , (ସାକ୍‌ସୀ ନ୍ୟୁଜ୍‌)10 ମାର୍ଚ୍ଚ : କଣ୍ଟାବାଡରେ ଲୁଗା ପକାଇ ଝଗଡା କରିବା ବିଜେଡିର ପୁରୁଣା ଅଭ୍ୟାସ ବୋଲି କହି ବିଜେଡି ବିଧାୟିକା ବର୍ଷା ସିଂ ବରିହାଙ୍କୁ ସାମାଜିକ ଗଣମାଧ୍ୟମରେ ଜବାବ ଦେଇଛନ୍ତି ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଅର୍ପିତା ବଡଜେନା । ଟ୍ୱିଟ୍ କରି ରାଜ୍ୟ ସରକାରଙ୍କ ବିଫଳତାର ପୋଲ୍ ଖୋଲି ଜବାବ ମାଗିଛନ୍ତି ଅର୍ପିତା ।

ସୁଶ୍ରୀ ବଡଜେନା, ବିଜେଡି ବିଧାୟିକା ବର୍ଷା ସିଂ ବରିହାଙ୍କୁ ଟ୍ୱିଟ୍ କରି କହିଛନ୍ତି ଆମ ନେତାଙ୍କ ଉଦ୍ଦେଶ୍ୟରେ ଯେଉଁ କଥା କୁହାଯାଇଛି ସେ କଥା ହେଉଛି ନିରାଧାର । ଆମ ଦଳର କେବେ ସଂସ୍କାର ନୁହେଁ କାହାକୁ ବ୍ୟକ୍ତିଗତ ଆକ୍ଷେପ କରିବା । ଆପଣ ଏହି ଟ୍ୱିଟ୍ କରିବା ପୂର୍ବରୁ ଯିଏ ଏହି ଟ୍ୱିଟ୍ ତିଆରି କରି ଆପଣଙ୍କୁ ଦେଇଛନ୍ତି ତାଙ୍କୁ ଥରେ ପଚାରିବାର ଥିଲା ।

ଓଡିଶାରେ ମହିଳା, ଗର୍ଭବତୀ ମହିଳା, ବାଳିକା, ନବଜାତ ଶିଶୁଙ୍କ ଅବସ୍ଥା ଆଜି କ’ଣ ଅଛି ? ଆପଣଙ୍କ ନିର୍ବାଚନ ମଣ୍ଡଳୀରେ ଏହାର ଅବସ୍ଥା ଆପଣ ବୁଲିବା ବେଳେ ଦେଖୁଥିବେ । ଏହାର ପ୍ରତିକାର କରିବା ପାଇଁ ଆପଣଙ୍କ ସରକାର, ଆପଣଙ୍କ ନେତା କେବେ ଚିନ୍ତା କରିଛନ୍ତି କି ? କିନ୍ତୁ କଣ୍ଟାବାଡରେ ଲୁଗା ପକାଇ ଝଗଡା କରିବା ଆପଣଙ୍କ ଦଳର ପୁରୁଣା ଅଭ୍ୟାସ ବୋଲି ସେ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ।

କଳାହାଣ୍ଡି ଜିଲ୍ଲାର ମମିତା ମେହେର ଭଉଣୀ ସେ କଣ କରିଥିଲେ, ତାଙ୍କୁ ଯେଉଁଭଳି ବିଭତ୍ସ ଭାବେ ହତ୍ୟା କରାଗଲା । ଏଥିରେ ଆପଣଙ୍କ ଦଳର ସେତେବେଳର ମନ୍ତ୍ରୀ ସମ୍ପୃକ୍ତି ଅଛନ୍ତି କି ନାହିଁ ? ହତ୍ୟାକାରୀ ଆଜି ବାହାରେ ବୁଲୁଛନ୍ତି,ତଦନ୍ତ ଆଜି ଦିଗହରା ହୋଇଛି । ପୁରୀ ଜିଲ୍ଲା ନିମାପଡାର ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଲା । ଏଥିରେ ଯେଉଁଭଳି ଭାବେ ରାଜ୍ୟର ଗଣଶିକ୍ଷାମନ୍ତ୍ରୀଙ୍କ ନାଁ ଆସିଲା ତାହା ସତ ନା ମିଛ ? ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ କେମିତି ହେଲା ଆପଣ ତ ପୁରୀ ଜିଲ୍ଲାର ବୋହୂ ଟିକେ ପଚାରି ବୁଝନ୍ତୁ ବୋଲି ସେ ଟ୍ୱିଟ୍ କରି କହିଛନ୍ତି ।

ଆପଣଙ୍କ ଦଳର ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ କାହିଁକି ବିଧାନସଭାକୁ ଆସୁନାହାନ୍ତି ଟିକେ ଫୋନ୍ କରି ବୁଝିଲେ ଭଲ ହୁଅନ୍ତା । ସୋମାଲିକା ଭଉଣୀ ଆମଭଳି ଜଣେ ଝିଅ । ସେ ଆଜି ଯେଉଁ କଥା ଉଠାଇଛନ୍ତି ତାଙ୍କୁ ନ୍ୟାୟ ଦେବାପାଇଁ ଆପଣଙ୍କ ସରକାର କାହିଁକି ପଛାଉଛନ୍ତି । ଆପଣ ତ କହୁଛନ୍ତି ଆପଣଙ୍କ ସରକାର ଟ୍ରାନସପରେଣ୍ଟ ସରକାର । ଫାଇଭ ଟି ର ସରକାର । ଏ ନୀରିହ ଝିଅକୁ ନ୍ୟାୟ ଦେବାରେ କୁଆଡେ ଗଲେ ଆପଣଙ୍କ ୧ ନମ୍ବର ପ୍ରଶାସକ ବୋଲି ସେ ଟ୍ୱିଟ୍ ମାଧ୍ୟମରେ ପ୍ରଶ୍ନ କରିଛନ୍ତି ।