ଖସାପଡ଼ା ଲାଗି ନୀତି ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ
ଖସାପଡ଼ା ନୀତି ଅନୁଷ୍ଠିତ ହେବ ବୋଲି ଦଇତାପତି ସେବାୟତମାନେ ସୂଚନା ଦେଇଛନ୍ତି…
ପୁରୀ(ସାକ୍ସୀ ନ୍ୟୁଜ୍): ସୋମବାର ଶ୍ରାବଣ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଯାଉଛି ।ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରରେ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ସୂଚନା ମୁତାବକ, ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦଇତାପତି ସେବକମାନେ ରତ୍ନସିଂହାସନ ଉପରେ ଚଢ଼ି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ। ଖସାପଡ଼ା ନୀତି ଶ୍ରୀଜୀଉମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ।
ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡ଼ାଇ ଦିଆଯାଏ। ବର୍ଷରେ ଦୁଇରୁ ତିନିଥର ଏହି ନୀତି କରାଯାଏ ।ସୋମବାର ଖସାପଡ଼ା ନୀତି ଅନୁଷ୍ଠିତ ହେବ ବୋଲି ଦଇତାପତି ସେବାୟତମାନେ ସୂଚନା ଦେଇଛନ୍ତି। ଖସାପଡା ନୀତି ଶେଷ ପରେ ନୀତିକାନ୍ତି ପୂର୍ବ ଭଳି ଆଗକୁ ବଢ଼ିବା ସହ ସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି କୁହାଯାଇଛି ।