ଦୀପାବଳି: ଧନ୍ୱନ୍ତରୀଙ୍କ ଜୟନ୍ତୀ, ଯମଙ୍କୁ ଦୀପଦାନ
ଦୀପାବଳି ପାଳନ ପୂର୍ବରୁ ଲୋକମାନେ ଘରକୁ ନୂଆରୂପ ଦେଇଥାନ୍ତି । କୋଠାଘର ଭିତର ବାହାର ରଙ୍ଗ ଲଗାଇଥାନ୍ତି । ଦୀପାବଳି ଦିନ ଘର ଭିତର ବାହାରେ ତେଲଦୀପ ଅବା ମହମବତୀ ଲଗାଇଥାନ୍ତି । ଧନୀ ପରିବାର ଘର ଭିତର ବାହାର ପାଖକୁ ଆଲୋକମାଳାରେ ସଜାଇଥାନ୍ତି । ମହାଳୟା ଶ୍ରାଦ୍ଧ ଅବସରରେ ପିଣ୍ଡଦାନ କରିଥାନ୍ତି । ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ପାଇଁ ବଡ଼ବଡୁଆ ଡାକିଥାନ୍ତି ।
ମୋଟ ଉପରେ କହିଲେ ଦୀପାବଳି ଦିବସଟିକୁ ଆଲୋକର ମହାପର୍ବ ଭାବେ ପାଳନ କରାଯାଏ । ବିଜୟାଦଶମୀର ୨୦ ଦିନ ପରେ ଦୀପାବଳି ପର୍ବ ପାଳନ କରାଯାଏ । ବିଶେଷ କରି ଗୋବତ୍ସା ଦ୍ୱାଦଶୀ ଓ ଧନତେରସ ଦିନଠାରୁ ଦୀପାବଳି ମହୋତ୍ସବ ଆରମ୍ଭ ହୋଇଥାଏ । ଭାରତର କେତେକ ଅଂଚଳର ଲୋକମାନେ ଗୋବର୍ଦ୍ଧନ ପୂଜା କରିଥାନ୍ତି । ଭାଇ ଓ ଭଉଣୀ ସଂପର୍କକୁ ସୁଦୃଢ଼ କରିବା ପାଇଁ ଭାଇଦୁଜ ପାଳନ କରାଯାଇଥାଏ । ଶିଖ ଓ ହିନ୍ଦୁ କାରିଗର ସମାଜ ଦୀପାବଳି ଦିନ ବିଶ୍ୱକର୍ମା ପୂଜା କରିଥାନ୍ତି ।
ଦୀପାବଳି ମହୋତ୍ସବର ମୁଖ୍ୟ ଆକର୍ଷଣ ଧନତେରସ । ଆଶ୍ୱିନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଧନତେରସ ଭାବେ ପରିଚିତ । ସେଦିନ ଅଧିକାଂଶ ଘରେ ମା’ ମହାଲକ୍ଷ୍ମୀ ଓ ଗଣପତିଙ୍କ ପୂଜାର୍ଚ୍ଚନା କରି ପିଠାପଣା ଓ ପଲାଉ ଭୋଗ ଲଗାଇଥାନ୍ତି ।
ପୂର୍ବକାଳରେ କବିରାଜ ବା ଘରୋଇ ବଇଦମାନେ ଆୟୁର୍ବେଦ ଶାସ୍ତ୍ରର ଅଧିକାରୀ ଧନ୍ୱନ୍ତରୀଙ୍କୁ ପୂଜା କରନ୍ତି । ବିଶ୍ୱାସ ରହିଛି, ଧନତେରସ ଦିନ ଦେବବୈଦ୍ୟ ଧନ୍ୱନ୍ତରୀଙ୍କୁ ପୂଜା କରି ପ୍ରସନ୍ନ କଲେ, ଯାବତୀୟ ଜଟିଳ ବ୍ୟାଧିରୁ ମୁକ୍ତି ମିଳିଥାଏ । ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ଧନ୍ୱନ୍ତରୀଙ୍କ ଆରାଧନା ଜରୁରୀ ।
ଦୀପାବଳି ଦିନ ମୃତ୍ୟୁର ଦେବତା ଯମଙ୍କୁ ଦୀପଦାନ କରାଯାଏ । ବିଶେଷ କରି ଦକ୍ଷିଣମୁହାଁ ଘର ମାଲିକମାନେ ଯମରାଜାଙ୍କୁ ସନ୍ତୁଷ୍ଟ ପାଇଁ ଦୀପଦାନ କରିବା ଉଚିତ । କିଛି ହିନ୍ଦୁ ପରିବାର ଦୀପାବଳି ପରଦିନ ଯମଙ୍କୁ ଦୀପଦାନ କରିଥାନ୍ତି ।