ଧନତେରସ୍‌: କରୋଡ୍‌ପତି ନହେଲେ ରୋଡ୍‌ପତି

ସାତୋଟି ଭୁଲ ପ୍ରତି ସତର୍କ ରୁହନ୍ତୁ……

କାର୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିକୁ ଧନତେରସ ପାଳନ କରାଯାଏ । ଏଥର ୨୨ ଓ ୨୩ ତାରିଖ ଦୁଇଟି ଦିନ ଧନତେରସ ପାଳନ କରାଯାଉଛି । ଧନତେରସ୍‌ ପୂଜାର୍ଚ୍ଚନା ପାଇଁ ୨୨ ତାରିଖ ଶୁଭଦାୟକ । ଲୋକମାନେ ଉଭୟ ଦିନରେ ମନଲାଖି ନାନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ କିଣାବିକା କରିପାରିବେ ।

ଧନତେରସ ଦିନ ମା’ ଲକ୍ଷ୍ମୀ, ପ୍ରଭୁ କୁବେର ଓ ଧନ୍ୱନ୍ତରୀଙ୍କ ପୂଜାର୍ଚ୍ଚନା କରାଯାଏ । ଧନତେରସ ଅବସରରେ ନୂଆ ଦ୍ରବ୍ୟ କିଣିଲେ ମାତା ଲକ୍ଷ୍ମୀଙ୍କ କୃପା ମିଳିଥାଏ । ମାତ୍ର ସେଦିନ ସାମାନ୍ୟ ଭୁଲ କଲେ ମା’ଙ୍କର ଅଭିଶାପ ପଡ଼ିଯାଏ । ପରିଣାମ ସ୍ୱରୂପ କୋଟିପତିରୁ କାଙ୍ଗାଳ ହେବାକୁ ମାତ୍ର କେଇକ୍ଷଣ ଯଥେଷ୍ଟ । ତେଣୁ ଆପଣମାନଙ୍କୁ ଅନୁରୋଧ, ଧନତେରସ୍‌ ଦିନ ସାତୋଟି ଭୁଲ କରିବେ ନାହିଁ ।

ପୁଞ୍ଜି ଖଟାନ୍ତୁ, ଅଯଥା ଖର୍ଚ୍ଚ କରନ୍ତୁ ନାହିଁ: ଧନତେରସ୍‌ ଦିନ କିଣାବିକା କରିବାର ପରମ୍ପରା ରହିଛି । ମାତ୍ର ଶାସ୍ତ୍ରାନୁସାରେ ସେଦିନ ଅଯଥା ଖର୍ଚ୍ଚ କରିବା ଫଳରେ ଧନ ଚାଲିଯାଏ । ତେଣୁ ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ । ବରଂ ବ୍ୟବସାୟରେ ଟଙ୍କା ବିନିଯୋଗ କରନ୍ତୁ । ଅନ୍ୟ ପକ୍ଷରେ କହିଲେ, ସୁନା, ରୂପା, କୋଠାବାଡ଼ି, ଜମି କିଣିବା ଅତ୍ୟନ୍ତ ଶୁଭ ।

କିନ୍ତୁ ପନିପରିବା, ମଦ, ସିଗାରେଟ୍‌, ଭୋଜିଭାତ, ତୀର୍ଥସ୍ଥାନ ଓ ବଣଭୋଜିରେ ଟଙ୍କା ଖର୍ଚ୍ଚ କରିବା ଅଶୁଭ । ଟଙ୍କା ଉଧାର ଦିଅନ୍ତୁ ନାହିଁ: ଧନତେରସ୍‌ ଦିନ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କୁ ଟଙ୍କା ଉଧାର ଦେବାର ଭୁଲ କରନ୍ତୁ ନାହିଁ । ଅନ୍ୟକୁ ଟଙ୍କା କରଜ ଦେବା ଅର୍ଥ ଲକ୍ଷ୍ମୀଙ୍କୁ ଘରୁ ତଡ଼ିଦେବାକୁ ବୁଝାଏ । ଦୀପାବଳି ପରେ ଟଙ୍କା କରଜ ଦେବାରେ ଅସୁବିଧା ନାହିଁ ।

ସାରାଦିନ ଜିନିଷପତ୍ର କିଣନ୍ତୁ ନାହିଁ: ଧନତେରସ୍‌ ଦିନ ନାନା ବସ୍ତୁ କିଣାଯାଏ । କିଛି ଲୋକ ସାରାଦିନ ବୁଲିବୁଲି ଜିନିଷ କିଣାକିଣି କରନ୍ତି । ଶୁଭ ମୁହୂର୍ତ ଦେଖି ଜିନିଷପତ୍ର କିଣନ୍ତୁ । ସୌଭାଗ୍ୟ ପ୍ରାପ୍ତ ହେବ ।

ଲୁହା ଜିନିଷ କିଣନ୍ତୁ ନାହିଁ: ଧନତେରସ ଦିନ ଗୃହୋପକରଣ କିଣିବା ଅତ୍ୟନ୍ତ ଶୁଭଦାୟକ । କିନ୍ତୁ ସେଦିନ କୋଦାଳ, କୁରାଢ଼ି, ଲୁହା କଡେ଼ଇ ପ୍ରଭୃତି ଲୁହା ଉପକରଣ କିଣିବା ଅଶୁଭ ।
ଖାଲି ବାସନ କିଣି ଘରେ ପ୍ରବେଶ କରନ୍ତୁନି: ଧନତେରସ୍‌ ଦିନ ବାସନକୁସନ କିଣିବାକୁ ଚାହୁଁଥିଲେ କିଣିପାରନ୍ତି । ମାତ୍ର ବାସନ କିଣି ସାରିବା ପରେ ଚାଉଳ, ଡାଲି, ବିରି ଭଳି ଖାଦ୍ୟଶସ୍ୟ କିଣିବାକୁ ଭୁଲନ୍ତୁ ନାହିଁ । ଖାଦ୍ୟଶସ୍ୟ କିଣିବା ପାଇଁ ଟଙ୍କା ନଥିଲେ, ଖାଲି ବାସନରେ ପାଣି ଭରି ଘରକୁ ପ୍ରବେଶ କରନ୍ତୁ ।

ଅପମିଶ୍ରିତ ଜିନିଷ କିଣନ୍ତୁ ନାହିଁ: ଧନତେରସ ଦିନ ଶୁଦ୍ଧ ବା ଖାଂଟି ଜିନିଷ କିଣିବା ଶୁଭଦାୟକ । ତେଣୁ ଅପମିଶ୍ରିତ ଜିନିଷପତ୍ର କିଣିବା ଫଳରେ ମା’ଙ୍କ କ୍ରୋଧର ଶିକାର ହୋଇପାରନ୍ତି ।

ମୁଖ୍ୟ ଦ୍ୱାରକୁ ଆକର୍ଷଣୀୟ କରନ୍ତୁ: ଧନତେରସ୍‌ ସହିତ ଆପଣଙ୍କ ଘରର ମୁଖ୍ୟଦ୍ୱାରର ଘନିଷ୍ଠ ସମ୍ପର୍କ ରହିଛି । ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ୱାର ବାଟ ଦେଇ ଦେବଦେବୀ ପ୍ରଦେଶ କରିଥାନ୍ତି । ଦେବଦେବୀଙ୍କ ସହିତ ସକାରାତ୍ମକ ଶକ୍ତି ପ୍ରବେଶ କରିଥାନ୍ତି । ତେଣୁ ମୁଖ୍ୟଦ୍ୱାର ନିକଟରେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ ।