ନବୀନ ପଟ୍ଟନାୟକ ହାଏ ହାଏ

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଅସନ୍ତୁଷ୍ଟ ଆଦିବାସୀ

ଆଦିବାସୀଙ୍କ ଲୁହରେ ଭାସିଯିବ ବିଜେଡି ସରକାର…

ସୁନ୍ଦରଗଡ଼: ଜିଲ୍ଲାପାଳ ଜିଲ୍ଲାବାସୀଙ୍କ ମୁଖିଆ । ଜିଲ୍ଲାର ମୁଖିଆଙ୍କ ନିକଟରେ ଗୁହାରି କରି ସୁଫଳ ପାଇବା ଆଶାରେ ଧାଇଁ ଆସିଥିଲେ ଆଦିବାସୀ ପରିବାର । ଗୋଟିଏ କିଲୋମିଟର କି ଦୁଇ କିଲୋମିଟର ନୁହେଁ, ଦୀର୍ଘ ୬୫ କିଲୋମିଟର ବାଟ ଚାଲିଚାଲି ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଂଚିଲେ ଶତାଧିକ ଆଦିବାସୀ ପରିବାର । ରାଷ୍ଟ୍ରପତି ଆସନରେ ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ବସାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଦେଶବ୍ୟାପୀ ପ୍ରଚାର କଲେ ଯେ ସେମାନେ ହିଁ ପ୍ରକୃତରେ ଆଦିବାସୀଙ୍କ ତ୍ରାଣକର୍ତା ।

ବିଜେପିର ଆଦିବାସୀ କାଡର଼୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚତୁରତାର ସହିତ ପାଲଟା ଜବାବ ଦେଇ ଆଦିବାସୀଙ୍କ ଦୁଃଖସୁଖର ସାଥୀ ବୋଲାଇଲେ । ମାତ୍ର ସୁନ୍ଦରଗଡ଼ ଜିଲ୍ଲାପାଳ ଅଫିସକୁ ଧାଇଁ ଆସିଥିବା ଆଦିବାସୀଙ୍କ ପାଇଁ ନା ବିଜେପି ନା ବିଜେଡି । ଆଦିବାସୀ ଜନତାଙ୍କ ହାରି ଗୁହାରି ଶୁଣିବାକୁ ଆସିଲେନି ଜିଲ୍ଲାପାଳ । ଉପ-ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଉପରେ ସବୁ ଦାୟିତ୍ୱ ଅଜାଡ଼ି ଜିଲ୍ଲାପାଳ ନିର୍ବାସନରେ । ଜିଲ୍ଲାପାଳଙ୍କୁ ନଭେଟିବା ଯାଏ ଅଫିସ ଆଗରୁ ଯିବାର ନାହିଁ ଜିଦରେ ଶତାଧିକ ଆଦିବାସୀ ଥଣ୍ଡା କାକର ରାତିଟିକୁ ଖୋଲା ଆକାଶ ତଳେ କାଟିଲେ ।

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ରାତି କାଟିଥିବା ଆଦିବାସୀ ପରିବାର ଓସିଏଲ୍‌ କମ୍ପାନୀର ଜମି ଅଧିଗ୍ରହଣ ପ୍ରକ୍ର୍ରିୟା ରୋକିବା ପାଇଁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ଭିଟାମାଟିରୁ ନହଟାଇବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥାନ୍ତେ । ମାତ୍ର ଖୋଦ ପ୍ରଶାସନ ଯେତେବେଳେ ସେମାନଙ୍କୁ ବଳପୂର୍ବକ ହଟାଇବା ପ୍ରକ୍ରିୟା ଆରମ୍ଭ କରିଛି । ସେଠି ଜିଲ୍ଲାପାଳ କ’ଣ ପାଇଁ ଆଦିବାସୀଙ୍କ ଆଖିରୁ ଲୁହ ପୋଛିବେ ।

ରାଜ୍ୟର ବିକାଶ ପାଇଁ ଗରିବ ଖଟିଖିଆ ଓ ସ୍ୱାଭିମାନ ଆଦିବାସୀ ଜାତିକୁ ବଳପୂର୍ବକ ଘଉଡ଼ାଇବା ଆମ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ନୈତିକ ମୂଲ୍ୟବୋଧ । ରାଜ୍ୟର ଶିଳ୍ପପତି ଓ ବ୍ୟବସାୟୀଙ୍କ ପୋଷ୍ୟପୁଅ ମୁଖ୍ୟମନ୍ତ୍ରୀ କାହିଁକି ବା ଆଦିବାସୀଙ୍କ ଗୁହାରି ପ୍ରତି କର୍ଣ୍ଣପାତ କରିବେ । କାଳିଆ ଟଙ୍କା ଓ ଟଙ୍କିକିଆ ଚାଉଳ ଉପରେ ତିଷ୍ଠି ରହିଥିବା ଆଦର୍ଶ ମୁଖ୍ୟମନ୍ତ୍ରୀ ଏବେ ଓସିଏଲ୍‌ ପାଇଁ ଅଂଟା ଭିଡିଛନ୍ତି ।
ଖଟଙ୍ଗ ପଂଚାୟତର ଶତାଧିକ ଆଦିବାସୀ ଗତ ୧୮ ତାରିଖରୁ ରାଜଗାଙ୍ଗପୁର କେଶ୍ରାମାଲରୁ ପଦଯାତ୍ରାରେ ବାହାରି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଂଚିଥିଲେ ।

ଦୀର୍ଘ ସମୟ ଅପେକ୍ଷା ପରେ ସନ୍ଧ୍ୟା ୬ଟାରେ ଜିଲ୍ଲାପାଳଙ୍କ ସାକ୍ଷାତ ପାଇଥିଲେ । ଆଦିବାସୀଙ୍କ ପ୍ରତିନିଧି ଦଳକୁ ଅଫିସକୁ ଡାକିଥିଲେ ଆଲୋଚନା ପାଇଁ । ମାତ୍ର ଆଦିବାସୀ ପରିବାର ରାସ୍ତା ଉପରେ ସମସ୍ତଙ୍କ ଆଗରେ ଆଲୋଚନା କରିବା ପାଇଁ ଜିଲ୍ଲାପାଳଙ୍କୁ କହିଲେ । ପ୍ରଶାସନଠାରୁ ଲିଖିତ ପ୍ରତିଶ୍ରୁତି ପାଇଲେନି ଆଦିବାସୀ ପରିବାର । ପ୍ରଶାସନ ପୁଲିସ ଲଗାଇ ଆନ୍ଦୋଳନରତ ଆଦିବାସୀଙ୍କୁ ହଟାଇବାର ଯୋଜନା କରିଥିଲା ।

ମାତ୍ର ଗଣମାଧ୍ୟମ ପ୍ରତିନିଧିମାନେ ବିକ୍ଷୋଭରତ ଆଦିବାସୀଙ୍କ ନିକଟରେ ଥିବାରୁ ପ୍ରଶାସନ ପଛକୁ ହଟି ଯାଇଥିଲା । ଏବେ ବିପୁଳ ପୁଲିସ ଆନ୍ଦୋଳନରତ ଆଦିବାସୀଙ୍କ ନିକଟରେ ଠିଆ ହୋଇଛନ୍ତି । ଆଦିବାସୀଙ୍କ ପାଇଁ ଅଂଟା ଭିଡିଛନ୍ତି ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍‌କା । ନବୀନ ସରକାର ସେମାନଙ୍କ ଗୁହାରି ନଶୁଣିଲେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ରାଜନ କହିଛନ୍ତି ।