ଦୀପାବଳି: ଜୈନ, ଶିଖ, ବୌଦ୍ଧଧର୍ମର ମୁଖ୍ୟପର୍ବ
ମା’ ମହାଲକ୍ଷ୍ମୀ, ମା’ ସରସ୍ୱତୀ, କୁବେରଙ୍କ ଉପାସନା
ଭାରତରେ ବହୁଧର୍ମର ଲୋକମାନେ ବସବାସ କରୁଛନ୍ତି । ସବୁଧର୍ମର ଲୋକମାନେ ଦୀପାବଳିଟିକୁ ସେମାନଙ୍କ ବିଶ୍ୱାସ ଅନୁସାରେ ପାଳନ କରନ୍ତି । ଜୈନ, ଶିଖ, ବୌଦ୍ଧ ଧର୍ମାବଲମ୍ବୀ ଧାର୍ମିକ ପରମ୍ପରାକୁ ପ୍ରାଥମିକତା ଦେଇଥାନ୍ତି ।
ତେବେ ସବୁଧର୍ମର ଗୋଟିଏ ମୂଳାଧାର ହେଉଛି, ଅଜ୍ଞାନ ଉପରେ ଜ୍ଞାନର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟ, ଅନ୍ଧକାର ଉପରେ ଆଲୋକର ବିଜୟ ।
ପୂର୍ବ ଭାରତର ଲୋକମାନେ ମା’ କାଳୀଙ୍କୁ ପୂଜାର୍ଚ୍ଚନା କରନ୍ତି । ଉତର ଭାରତରେ ଅବସ୍ଥିତ ଆସାମ ରାଜ୍ୟର ବ୍ରଜ ଅଂଚଳ, ଦକ୍ଷିଣ ଭାରତର ତାମିଲ ଓ ତେଲୁଗୁ ସମୁଦାୟ ନରକାସୁର ଉପରେ ଶ୍ରୀକୃଷ୍ଣଙ୍କ ବିଜୟକୁ ପାଳନ କରିଥାନ୍ତି । ବ୍ୟବସାୟୀମାନେ ମା’ ସରସ୍ୱତୀଙ୍କ ଉପାସନା କରିଥାନ୍ତି । ତା’ ସହିତ ଧନ ଭଣ୍ଡାର ରକ୍ଷକ କୁବେରଙ୍କୁ ଆରାଧନା କରିଥାନ୍ତି ।
ଗୁଜୁରାଟ ସମେତ ପଶ୍ଚିମ ଭାରତର କେତେକ ଅଂଚଳରେ ଦୀପାବଳିକୁ ନବବର୍ଷ ରୂପେ ପାଳନ କରାଯାଏ । ଅନ୍ୟ ଧର୍ମର ଲୋକମାନେ ମଧ୍ୟ ଦୀପାବଳି ଉତ୍ସବ ମନାଇଥାନ୍ତି ।
ଦୀପାବଳି ଦିନ ଜୈନଧର୍ମ ପ୍ରବର୍ତକ ମହାବୀର ଜୈନଙ୍କର ମହାପ୍ରୟାଣ ଘଟିଥିଲା । ଭାରତରେ ବସବାସ କରୁଥିବା ଜୈନଧର୍ମର ଲୋକମାନେ ଜୈନ ଦୀବାଲି ପାଳନ କରନ୍ତି । ଖ୍ରୀଷ୍ଟପୂର୍ବ ୫୨୭ରେ ପ୍ରଥମ ଥର ପାଇଁ ଜୈନଧର୍ମର ଲୋକମାନେ ଦୀପାବଳି ପାଳନ କରିଥିବାର ବିଶ୍ୱାସ ରହିଛି । ମହାବୀରଙ୍କର ଅନ୍ତିମ ପ୍ରବଚନରେ ପ୍ରାୟ ୧୮ ଜଣ ରାଜା ଯୋଗଦାନ କରି ମହାଉପଦେଶ ଶ୍ରବଣ କରିଥିଲେ । ତେଣୁ ସେହିଦିନଟିକୁ ସ୍ମରଣୀୟ କରିବା ପାଇଁ ଆଲୋକର ମହାପର୍ବ ପାଳନ କରାଯାଇଥାଏ ।