ରାକ୍ଷୀ ଟଙ୍କା କେଇଟାରେ ମିଳୁଥିବା ମାମୁଲି ଜିନିଷ ନୁହେଁ । ଶତ୍ରୁତାର ଅବସାନ ପାଇଁ ରାକ୍ଷୀ ଏକ ମଧୁର ସମ୍ପର୍କକୁ ଜନ୍ମ ଦେଇପାରେ । ଇତିହାସ ପୃଷ୍ଠାରେ ମୋଗଲ ସମ୍ରାଟ୍ ହୁମାୟୁନ ଓ ରାଜପୁତ ରାଣୀ କର୍ଣ୍ଣବତୀଙ୍କୁ ଘନିଷ୍ଠ ସମ୍ପର୍କରେ ବାନ୍ଧିଥିଲା ରାକ୍ଷୀ । ରାଣା ପ୍ରତାପଙ୍କ ବିଧବା ପତ୍ନୀ ରାଣୀ କର୍ଣ୍ଣବତୀ ସମ୍ରାଟ ହୁମାୟୁନଙ୍କ ନିକଟକୁ ରାକ୍ଷୀ ଓ ମିଠା ପଠାଇ ଶତ୍ରୁତାର ଅବସାନ ଘଟାଇଥିଲେ । ମିବାର ଛୋଟ ରାଜ୍ୟଟିଏ ହୋଇଥିଲେ ମଧ୍ୟ ତା’ର ରାଣା ପ୍ରତାପ ମୋଗଲ ସମ୍ରାଟଙ୍କ ଅଧୀନତା ସ୍ୱୀକାର କରିବାକୁ ରାଜି ନଥିଲେ । ଦୁଇ ସେନା ଭିତରେ ଘମାଘୋଟ ଲଢେ଼ଇ ହେଲା ।
ବହୁ ରାଜପୁତ ରାଜା ଦିଲ୍ଲୀ ସୁଲତାନଙ୍କ ଅଧୀନତା ସ୍ୱୀକାର କରିଥିଲେ; ମାତ୍ର ରାଣା ପ୍ରତାପ ମୃତ୍ୟୁ ପର୍ଯ୍ୟନ୍ତ ଦିଲ୍ଲୀ ସୁଲତାନଙ୍କ ବିରୋଧରେ ଅସ୍ତ୍ର ଧାରଣ କରିଥିଲେ । କ୍ରମାଗତ ପରାଜୟ ମଧ୍ୟ ରାଣା ପ୍ରତାପଙ୍କ ଦୃଢ଼ ମନୋବଳକୁ ଭାଙ୍ଗି ପାରିଲାନି । ଯୁଦ୍ଧରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ରାଣା ପ୍ରତାପ ପରଲୋକ ଗମନ କଲେ । ଖବର ପାଇ ମୋଗଲ ସେନା ଉନ୍ମାଦନାର ସହ ମିବାର ଦଖଲ ପାଇଁ ମାଡ଼ିଚାଲିଲେ । ମିବାରବାସୀଙ୍କୁ ମୋଗଲ ସେନା କବଳରୁ ରକ୍ଷା କରିବା ପାଇଁ ରାଣା ପ୍ରତାପଙ୍କ ବିଧବା ପତ୍ନୀ ରାଣୀ କର୍ଣ୍ଣବତୀ ମୋଗଲ ସମ୍ରାଟ୍ ହୁମାୟୁନଙ୍କ ନିକଟକୁ ରାକ୍ଷୀ ଓ ପିଠା ପଠାଇଥିଲେ । ହୁମାୟୁନ ରାକ୍ଷୀର ମାନ ରକ୍ଷା କରି ସୈନ୍ୟସାମନ୍ତଙ୍କୁ ଦିଲ୍ଲୀ ଫେରିଯିବାକୁ ଆଦେଶ ଦେଲେ ।
ଦୁଇଦେଶ ମଧ୍ୟରେ ସମ୍ପର୍କର ଡୋରି ଦୃଢ଼ ହୋଇଥିଲା । ମୃତ୍ୟୁ ପର୍ଯ୍ୟନ୍ତ ସମ୍ରାଟ୍ ହୁମାୟୁନଙ୍କ ନିକଟକୁ ରାକ୍ଷୀ ପଠାଉଥିଲେ ରାଣୀ କର୍ଣ୍ଣବତୀ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆପଣମାନେ ମଧ୍ୟ ଶତ୍ରୁତାକୁ ଭୁଲିଯାଆନ୍ତୁ, ପରସ୍ପର ହାତରେ ରାକ୍ଷୀ ବାନ୍ଧି ଭାଇଚାରାକୁ ଅମଳିନ ରଖନ୍ତୁ ।