ଅଷ୍ଟମ ଶତାବ୍ଦୀରେ ଭୌମକର ଶାସକଙ୍କ ଅମଳରେ ମା’ ଶାରଳାଙ୍କ ମୂଳ ମନ୍ଦିରଟି ନିର୍ମାଣ କରାଯାଇଥିଲା । ମନ୍ଦିରଟିରେ ମା’ ପ୍ରାୟ ୧୫୬୮ ପର୍ଯ୍ୟନ୍ତ ପୂଜା ପାଉଥିଲେ । ବଙ୍ଗରାଜା ସୁଲେମାନ କରାନୀଙ୍କ ସେନାପତି କଳାପାହାଡ଼ ବିରାଟ ସେନା ଧରି ଉକ୍ରଳର ସବୁ ମନ୍ଦିରକୁ ଭଙ୍ଗାରୁଜା କରିଥିଲା । କଳାପାହାଡ଼ ମା’ଙ୍କ ମନ୍ଦିରଟିକୁ ସଂପୂର୍ଣ୍ଣ ଭାଙ୍ଗି ପାରିଲାନି । କିଛି ଅଂଶ ଭାଙ୍ଗି ସେ ଚାଲିଗଲା । ଭଗ୍ନ ମନ୍ଦିରରେ ରହି ମା’ ଶାରଳା ପୂଜା ପାଉଥିଲେ । ମୋଗଲ ସମ୍ରାଟ୍ ଆଉରଙ୍ଗଜେବ ଓଡ଼ିଶା ଆକ୍ରମଣ କଲେ । ତାଙ୍କ ସେନାବାହିନୀ ମନ୍ଦିରଟିକୁ ସଂପୂର୍ଣ୍ଣ ମାଟିରେ ମିଶାଇଦେଲେ । ୧୯୮୨ରେ ଉକ୍ତ ମନ୍ଦିରଟିର ନବୀକରଣ କରାଗଲା । ଉକ୍ତ ପୀଠରେ ପ୍ରଭୁ ଗଶେଶଙ୍କୁ ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା କରାଯାଉଛି । ମା’ ଶାରଳାଙ୍କ ଟ୍ରଷ୍ଟ ଉକ୍ତ ମନ୍ଦିରଟିର ପରିଚାଳନା ଭାର ତୁଲାଉଛି । ଏବେସୁଦ୍ଧା ପୁରାତନ ମନ୍ଦିରଟିରେ ମା’ଙ୍କର କେତୋଟି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ମା’ ଶାରଳାଙ୍କର ଚଳନ୍ତି ପ୍ରତିମାକୁ ପାଲିଙ୍କିରେ ବସାଇ ପୁରୁଣା ପୀଠକୁ ଅଣାଯିବା ପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ ।
ମା’ଙ୍କୁ ତାନ୍ତ୍ରିକ ମତେ ଆରାଧନା କରାଯିବା ସହିତ ବୈଷ୍ଣବ ଓ ବୈଦିକ ମତେ ପୂଜା କରାଯାଉଛି । ଆଜି ଯେଉଁ ମନ୍ଦିରଟିରେ ମା’ ବିରାଜମାନ କରିଛନ୍ତି । ତାହା ମରହଟ୍ଟା ଶାସନ ଅମଳରେ ଅର୍ଥାତ୍ ୧୭୫୩ରୁ ୧୮୦୩ ମସିହା ଭିତରେ ତିଆରି କରାଯାଇଥିଲା । ୧୮୬୩ ମସିହାରେ ତକ୍ରାଳୀନ ଇଂରେଜ ସରକାର ଦେବୋତର ଆଇନ ପ୍ରଣୟନ କରି ମା’ ଶାରଳାଙ୍କ ପୀଠ ସମେତ ଓଡ଼ିଶାର ବହୁ ମଠମନ୍ଦିରକୁ ହାତକୁ ନେଇଥିଲେ । ୧୯୨୮ରେ ମା’ ଶାରଳାଙ୍କ ମନ୍ଦିର ପରିଚାଳନାରେ ନାନା ବିଭ୍ରାଟ ଦେଖାଦେଲା । କଟକ ଜିଲ୍ଲା ଦୌରାଜଜ୍ ରାୟ ବାହାଦୁର ଚିନ୍ତାମଣି ଆଚାର୍ଯ୍ୟ ଓ ଚୌଧୁରୀ ବ୍ରଜନାଥ ମିଶ୍ରଙ୍କୁ ମନ୍ଦିର ପରିଚାଳନା ଟ୍ରଷ୍ଟର ସଭ୍ୟ ଭାବେ ନିଯୁକ୍ତ କଲେ । ଆଚାର୍ଯ୍ୟ ଓ ମିଶ୍ରଙ୍କ ଦକ୍ଷ ପରିଚାଳନାରେ ମନ୍ଦିରଟିର ବହୁ ବିକାଶ ଘଟିଥିଲା । ଶ୍ରଦ୍ଧାଳୁଙ୍କ ଦାନ ଅର୍ଥକୁ ସେବାୟତମାନେ ଆଉ ଲୁଟିବାର ଅବକାଶ ପାଇଲେ ନାହିଁ । ଭୁବନେଶ୍ୱରଠାରୁ ମାତ୍ର ୮୦ କିଲୋମିଟର ଦୂରରେ ମା’ ଶାରଳାଙ୍କ ପୀଠ । ରାହାମା ରେଳଷ୍ଟେସନରେ ଓହ୍ଲାଇ ଭକ୍ତମାନେ ମା’ଙ୍କ ନିକଟକୁ ଯାଇପାରିବେ । କଟକ ବାଦାମବାଡ଼ି ବସଷ୍ଟାଣ୍ଡରୁ ମା’ଙ୍କ ପୀଠ ଦେଇ ବହୁ ବସ୍ ଯାତାୟାତ କରୁଛି । ଭକ୍ତମାନେ ନବରାତ୍ରି ଅବସରରେ ମା’ଙ୍କ ପୀଠକୁ ଯାଇ ଆଶୀର୍ବାଦ ଲାଭ କରିପାରିବେ ।