ଓଡ଼ିଶାରେ ନବରାତ୍ରି: ମା’ ଶାରଳାଙ୍କୁ ଲେଖନୀ ପ୍ରିୟ

ପ୍ରଭୁ ପର୍ଶୁରାମ ଶରମୂନରେ ଗଢ଼ିଥିଲେ ପ୍ରତିମା

ଜଗତସିଂହପୁର ଜିଲ୍ଲାରେ ଓଡ଼ିଶାର ଆଠଟି ପ୍ରସିଦ୍ଧ ଶକ୍ତିପୀଠ ଭିତରୁ ମା’ ଶାରଳାଙ୍କ ପୀଠ ରହିଛି । ମା’ଙ୍କ ଆଶୀର୍ବାଦ ବଳରେ ଆଦିକବି ଶାରଳା ଦାସ ରଚନା କରିଥିଲେ ‘ମହାଭାରତ’ । ମା’ଙ୍କ ପୀଠଟି ଉଭୟ ବୈଷ୍ଣବ ଓ ଶାକ୍ତଧର୍ମର ଶ୍ରଦ୍ଧାଳୁଙ୍କ ପାଇଁ ଅତି ପ୍ରିୟ । ମା’ଙ୍କର ହାତରେ ପୁସ୍ତକ, ବୀଣା ଓ ଘଂଟି ଥିବାରୁ କେହିକେହି ତାଙ୍କୁ ବୌଦ୍ଧ ଧର୍ମାବଲମ୍ବୀଙ୍କ ପ୍ରିୟ ପୀଠ କହିଥାନ୍ତି । କୁହାଯାଏ, ସତୀଦେବୀଙ୍କ ଅଧାପୋଡ଼ା ଶବକୁ କାନ୍ଧରେ ପକାଇ ପ୍ରଭୁ ମହାଦେବ ସାରା ବ୍ରହ୍ମାଣ୍ଡ ବୁଲୁଥିବା ବେଳେ ଏହୀ ପୀଠରେ ମା’ଙ୍କର ଜିଭ ପଡ଼ିଥିଲା । ତେଣୁ ମା’ ଶାରଳାଙ୍କୁ ବାକ୍‌ଦେବୀ ଭାବେ ଆରାଧନା କରାଯାଏ । ମା’ ହେଉଛନ୍ତି ଝଙ୍କଡ଼ ବାସିନୀ ।

ତ୍ରେତୟା ଯୁଗରେ ପ୍ରଭୁ ପର୍ଶୁରାମ ପରିଭ୍ରମଣ କରୁଥିବା ସମୟରେ ଏହି ପୀଠରେ ପହଂଚିଥିଲେ । ଗୋଟିଏ ଗଛତଳେ ବିଶ୍ରାମ କରୁଥିବା ବେଳେ ତାଙ୍କ ଧନୁଶରକୁ ତଳେ ରଖିଥିଲେ । ପ୍ରଭୁ ପର୍ଶୁରାମଙ୍କ ଧନୁଶର ଭାରକୁ ପୃଥିବୀ ମାତା ଧାରଣ କରିପାରନ୍ତି ନାହିଁ । ତେଣୁ ପ୍ରଭୁଙ୍କ ଧନୁଶର ରଖାଯିବା ସ୍ଥାନଟି ଆଙ୍ଗୁଳେ ପରିମାଣରେ ଦବିଯାଏ । ମାତ୍ର ଝଙ୍କଡ଼ରେ ପ୍ରଭୁ ପର୍ଶୁରାମ ଯୋଉ ସ୍ଥାନରେ ଧନୁଶର ରଖିଥିଲେ । ସେହି ସ୍ଥାନଟି ଦବି ନଥିଲା । ପର୍ଶୁରାମ ଆଶ୍ଚର୍ଯ୍ୟ ହୋଇଗଲେ । ସେ କିଛି ସମୟ ଧ୍ୟାନମଗ୍ନ ହେବାରୁ ମା’ଙ୍କ ଉପସ୍ଥିତି ଅନୁଭବ କଲେ । ଧନୁଶର ରହିଥିବା ସ୍ଥାନଟିକୁ ଖୋଳିଲେ । ପାଇଲେ ଗୋଟିଏ ପଥର । ମା’ଙ୍କ ଆଜ୍ଞା ପାଇ ସେହି ପଥର ଉପରେ ଶରମୂନରେ ତିଆରି କଲେ ପ୍ରତିମା । ଶରମୂନରେ ତିଆରି ହୋଇଥିବାରୁ ପ୍ରତିମାଟିର ନାମ ମା’ ଶାରଳା ରଖିଲେ ଋଷିଶ୍ରେଷ୍ଠ ପର୍ଶୁରାମ । ମା’ଙ୍କୁ ସେହିଠାରେ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିବା ପରେ ପର୍ଶୁରାମ ଚାଲିଗଲେ ଆପଣା ବାଟରେ ।

ପଂଚଦଶ ଶତାବ୍ଦୀରେ ମା’ ଶାରଳାଙ୍କ ପୀଠଟି ଲୋକପ୍ରିୟ ହୋଇଥିଲା । ତକ୍ରାଳୀନ ଉକ୍ରଳରେ ସିଦେ୍ଧଶ୍ୱର ପରିଡ଼ା ନାମକ ଜଣେ କ୍ଷୁଦ୍ର ଚାଷୀ ଓ ପାଇକ ରହୁଥିଲେ । ସିଦେ୍ଧଶ୍ୱର ଦୈନିକ ମା’ ଶାରଳାଙ୍କ ଆରାଧନା କରୁଥିଲେ । ମା’ଙ୍କ ଆଶୀର୍ବାଦ ଲାଭ କରି ସେ ଓଡ଼ିଆ ମହାଭାରତ ଲେଖିଥିଲେ । ମା’ଙ୍କ କୃପାଲାଭ ପରେ ସିଦେ୍ଧଶ୍ୱର ହୋଇଗଲେ ଆଦିକବି ଶାରଳା ଦାସ । ଶାରଳା ଦାସ ତାଙ୍କ ରଚିତ ମହାଭାରତର ଅନେକ ସ୍ଥାନରେ ମା’ ଶାରଳାଙ୍କୁ ଦୁର୍ଗା, ଅପର୍ଣ୍ଣା, ପାର୍ବତୀ, ନାରାୟଣୀ, ଭବାନୀ, ମହାଲକ୍ଷ୍ମୀ, ମହାକାଳୀ, କାତ୍ୟାୟିନୀ, ମହାସରସ୍ୱତୀ, ଚଣ୍ଡୀ, ଉଗ୍ରତାରା, ଭୈରବୀ, ଭଗବତୀ, ମଙ୍ଗଳା, ହିଙ୍ଗୁଳା, ତ୍ରିପୁରା, ବାସୁଳୀ, ବାରାତୀ, ମହା ଯୋଗେଶ୍ୱରୀ, ତାରିଣୀ, ଚର୍ଚ୍ଚିକା, କମଳା, ପରମ ବୈଷ୍ଣବୀ ଓ ମାହେଶ୍ୱରୀ ନାମରେ ଉଚ୍ଚାରଣ କରିଛନ୍ତି । ଏବେ ଯେଉଁ ମନ୍ଦିରଟି ଅଛି । ତାହା ମାତ୍ର ୫୦୦ ବର୍ଷର ପୁରୁଣା । ରାଜା ମଣିଜଙ୍ଗ ଉକ୍ତ ମନ୍ଦିରକୁ ତୋଳାଇଥିଲେ । ମା’ଙ୍କ ପୁରାତନ ମନ୍ଦିରଟି ଆଉ ପ୍ରାୟ ଦିଶୁନି । ମା’ଙ୍କ ପୁରାତନ ପୀଠରେ ମହାପ୍ରଭୁ ଗଣେଶ ପୂଜା ପାଉଛନ୍ତି । ମା’ଙ୍କ ପୀଠରେ ପାର୍ବଣ ପୂଜା ସାଙ୍ଗକୁ ଶାରଦୀୟ ଉତ୍ସବ, ପଣା ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ଓ ଚନ୍ଦନ ଯାତ ଅନୁଷ୍ଠିତ ହୁଏ । କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ଲୋକଙ୍କ ଦୃଷ୍ଟିରେ ଏହି ପୀଠର ମହତ୍ୱ ବେଶି । ପ୍ରତ୍ୟେକ ପରିବାର ବର୍ଷକୁ ଅନ୍ତତଃପକ୍ଷେ ଥରୁଟିଏ ଏହି ପୀଠକୁ ଆସି ମା’ଙ୍କ ଆଶୀର୍ବାଦ ନେଇଥାନ୍ତି ।
ଆଜିଠାରୁ ଆରମ୍ଭ ହୋଇଛି ମା’ଙ୍କ ନବରାତ୍ରି ପୂଜା । ସକାଳୁ ସକାଳୁ ପୀଠରେ ଲୋକଙ୍କ ସମାଗମ ହୋଇଛି । ଦୂରଦୂରାନ୍ତ ଲୋକମାନେ ସେମାନଙ୍କ ପରିବାର ଗହଣରେ ମା’ଙ୍କ ପୀଠରେ ପହଂଚି ଶୈଳପୁତ୍ରୀଙ୍କୁ ଦର୍ଶନ କରିଛନ୍ତି । ଆଗାମୀ ଦଶଦିନ ପାଇଁ ମା’ଙ୍କ ପୀଠ ଚଳଚଂଚଳ ରହିବ । ଏମିତି ତ ବର୍ଷସାରା ମା’ଙ୍କ ମନ୍ଦିରକୁ ବହୁ ଲୋକମାନେ ଆସିଥାନ୍ତି । ମାତ୍ର ନବରାତ୍ରି ଆରାଧନା ଟିକେ ନିଆରା । ନବରାତ୍ରି ଅବସରରେ ମା’ଙ୍କ ପୀଠରେ ଲେଖନୀ ପୂଜା କଲେ, ବିଦ୍ୟାର୍ଥୀମାନେ ସର୍ବାଧିକ ଫାଇଦା ପାଇଥାନ୍ତି ।