ରୋଗୀ ମୃତ୍ୟୁ କୁ ନେଇ କରଞ୍ଜିଆ ଡାକ୍ତରଖାନା ରେ ତୁମୁଳ କାଣ୍ଡ

ଫଳରେ ମେଡ଼ିକାଲ ପରିସର କିଛି ସମୟ ପାଇଁ ଉତେଜନା ପୂର୍ଣ୍ଣ ରହିଥିଲା…..

କେନ୍ଦୁଝର : ମୃତ୍ୟୁକୁ ନେଇ କରଂଜିଆ ଉପଖଣ୍ଡ ମେଡ଼ିକାଲରେ କିଛି ସମୟ ପୂର୍ବରୁ ଦେଖାଦେଇଥିଲା ଚାପା ଉତେଜନା,ଯେଉଁଥି ପାଇଁ ରୋଗୀ ସମ୍ପର୍କୀୟ ଓ ମେଡ଼ିକାଲ କର୍ମଚାରୀଙ୍କ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ହେବା ଭଳି ପରିସ୍ଥିତି ସୃଷ୍ଟି ହେବା ସହ ଘଟଣା ସ୍ଥଳରେ ପୋଲିସକୁ ଆସିବାକୁ ପଡିଥିଲା।ମିଳିଥିବା ସୂଚନା ଅନୁସାରେ,ଗତକାଲି ଅପରାହ୍ନରେ କରଂଜିଆ ବ୍ଲକ ନେଡୁଆପାଳ ଗାଁର ସୁକୁମୋତି ରଣା ନାମକ ଜୈନିକ ମହିଳା ପେଟ ବ୍ୟଥା ଓ ଝାଡା ହେଉଥିବା ନେଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ।

ତେବେ ଭର୍ତ୍ତି ହେବାର କିଛି ସମୟ ପରେ ଡାକ୍ତରଙ୍କ ଚିକିତ୍ସାରେ ସାମାନ୍ୟ ଆସ୍ୱସ୍ତି ଲାଭ କରିଥିଲେ ବି ବିଳମ୍ବିତ ରାତିରେ ପୁଣି ପେଟ ବ୍ୟଥା ନେଇ ଗୁରୁତର ହୋଇପଡ଼ିଥିଲେ।କିନ୍ତୁ ଆଜି ସକାଳୁ ନିୟମିତ ତତ୍ୱାବଧାନ ସମୟ ପୂର୍ବରୁ ଯେତେବେଳେ ସୁକୁମୋତି ପେଟ ବ୍ୟଥା ନେଇ ଅତି କଷ୍ଟ ପାଇଥିଲେ,ସେତେବେଳେ ପାଖରେ ଥିବା ସମ୍ପର୍କୀୟ ଡାକ୍ତରଙ୍କ ସହାୟତା ଲୋଡିଥିଲେ।କିନ୍ତୁ ଦିନ ୧୧ସୁଦ୍ଧା ସେମାନଙ୍କୁ ମେଡ଼ିକାଲ ପକ୍ଷରୁ କୌଣସି ସେବା ସହାୟତା ମିଳିନଥିଲା। ଯାହାକୁ ନେଇ ମହିଳା ଜଣକ ଅତି କଷ୍ଟ ପାଇଥିଲେ।

ଆଉ ଏହାରି ଭିତରେ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ଦିନ ୨ଟା ପାଖାପାଖି ମେଡ଼ିକାଲ କତ୍ତୃପକ୍ଷ କେନ୍ଦୁଝର ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ଆଉ ଏହି ସ୍ଥାନାନ୍ତର କରିବା ପୂର୍ବରୁ ରୋଗୀ ଜଣକ ଛଟପଟ ହୋଇ କରଂଜିଆ ମେଡ଼ିକାଲରେ ମୃତ୍ୟୁବରଣ କରିଥିଲେ। ଯାହାକୁ ନେଇ ଉପସ୍ଥିତ ରୋଗୀ ସମ୍ପର୍କୀୟ ମାନେ ମେଡ଼ିକାଲର ସିକ୍ୟୁରୀଟି,ଅଟେଣ୍ଡାଣ୍ଟ ମାନଙ୍କୁ ଆକ୍ରମଣ କରିଥିଲେ।ଫଳରେ ମେଡ଼ିକାଲ ପରିସର କିଛି ସମୟ ପାଇଁ ଉତେଜନା ପୂର୍ଣ୍ଣ ରହିଥିଲା।ତେବେ ଖବର ପାଇ କରଂଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଓ ଥାନାଧିକାରୀ ପହଁଚି ସ୍ଥିତିକୁ ପୁରାପୁରି ନିୟନ୍ତ୍ରଣ କୁ ନେଇଥିଲେ।