ଆଜିଠାରୁ ଗୁପ୍ତ ନବରାତ୍ରୀ: ଫେବୃଆରୀ ୧୮ ତାରିଖ ଯାଏ

ନୂଆଦିଲ୍ଲୀ:  (୧୦ ଫେବୃଆରୀ) ମାଘ ମାସର ନବରାତ୍ରି ଆରମ୍ଭ ହେଉଛି । ଏ ନବରାତ୍ରିକୁ ଗୁପ୍ତ ନବରାତ୍ରି କୁହାଯାଏ । ମା’ ଦୁର୍ଗାଙ୍କର ଗୁପ୍ତ ନବରାତ୍ରି ଫେବୃଆରୀ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ସାଧକମାନଙ୍କ ପାଇଁ ଗୁପ୍ତ ନବରାତ୍ରିରେ ଦଶ ମହାବିଦ୍ୟା ସାଧନା ଉପଯୁକ୍ତ । ସାଧାରଣ ଲୋକମାନେ ମଧ୍ୟ ଏହି ଦିନଗୁଡ଼ିକରେ ଦେବୀ ଦୁର୍ଗାଙ୍କର ପୂଜା ଓ ବ୍ରତ ପାଳନ କରିପାରିବେ । ଦଶ ମହାବିଦ୍ୟା ଭିତରେ ଅଛନ୍ତି କାଳୀ, ତାରା, ତ୍ରିପୁରାସୁନ୍ଦରୀ (ଷୋଡ଼ଶୀ), ଭୁବନେଶ୍ୱରୀ, ଛିନ୍ନମସ୍ତା, ତ୍ରିପୁରା ଭୈରବୀ, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଓ କମଳା ।

ଗୁପ୍ତ ନବରାତ୍ରିରେ ବିଶେଷ ସାଧନା କରିବା ପାଇଁ ଆଗ୍ରହୀ ଲୋକମାନେ ମୁଖ୍ୟତଃ ପଣ୍ଡିତମାନଙ୍କ ସହିତ ପରାମର୍ଶ କରିବା ଉଚିତ କାରଣ ଗୁପ୍ତ ନବରାତ୍ରିରେ ବହୁତ କଡ଼ା ନିୟମ ପାଳନ କରିବାକୁ ପଡ଼ିଥାଏ, ମନ୍ତ୍ର ଉଚ୍ଚାରଣରେ ସାମାନ୍ୟ ଭୁଲ ହୋଇଗଲେ ତା’ର ବିପରୀତ ପରିଣାମ ମିଳିଥାଏ ।

ଗୁପ୍ତ ନବରାତ୍ରି ଅବସରରେ ଗୃହସ୍ଥମାନେ ଯେକୌଣସି ଦେବୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ଉଚିତ । ଛୋଟ ଝିଅମାନଙ୍କୁ ବହି, କଲମ, ପେନ୍‌ସିଲ, ପୋଷାକ, ଜୋତା ଚପଲ ଅବା ଧନ ଦାନ କରିବା ଉଚିତ ।

ନିୟମିତ ସ୍ନାନ ସାରି ମନ୍ଦିରରେ ପ୍ରଥମେ ଶ୍ରୀଗଣେଶଙ୍କୁ ଆରାଧନା କରନ୍ତୁ । ତା’ପରେ ଦେବୀ ମା’ଙ୍କୁ ଆରାଧନା କରନ୍ତୁ ।