ଦୋଳବେଦିରେ ପୂଜା ପାଇବେ ଶ୍ରୀଲିଙ୍ଗରାଜ

ସୋମବାର ପୂର୍ଣ୍ଣମୀ ତିଥିରେ ଦୋଳବେଦିରେ ପୂଜା ପାଇବେ ଶ୍ରୀଲିଙ୍ଗରାଜ ମହାପ୍ରଭୁ । ଏଥିସହିତ ରଥଖଳାରେ ଦୋଳ ରଖାଯିବ । ସେଠାରେ ଠାକୁର ଶ୍ରଦ୍ଧ‌ାଳୁଙ୍କ ଭୋଗ ଖାଇବେ । ତେବେ ,ବିଶ୍ବନାଥ ମନ୍ଦିର ନିକଟରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ, ମା’ ପାର୍ବତୀ ଓ ମା’ ଦୁର୍ଗା ଦୋଳବେଦିରେ ଝୁଲୁଥିବା ବେଳେ ସମ୍ମୁଖରେ ଦୋଳଗୋବିନ୍ଦ ଦୋଳବେଦିରେ ବସି ପୂଜା ପାଇବେ।

ଶତାଧିକ ଭକ୍ତ ଆସି ଠାକୁରଙ୍କୁ ଚାଚେରି ଭୋଗ କରିବା ସହ ଫଗୁ ଲାଗି କରାଯିବ । ଏହି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଭଜନ ସମାରୋହ କରାଯାଇଛି ।ଗତକାଲି ରାତିରେ ମହାପ୍ରଭୁଙ୍କ ଅଗ୍ନି ଉତ୍ସବ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ରୁକ୍ମିଣୀ, ଶ୍ରୀବସୁଦେବ ଆଜି ରାତି ପ୍ରାୟ ୧୨ଟାରେ ବାଟକୂଅ ମୁହଁ ବଡ଼ୁ ସାହିଠାରେ ଭୋଗ ଖାଇ ଫେରିଛନ୍ତି।

ସେଠାରୁ ଦେବଦେବି ମହାଖଳାକୁ ଆସିଥିଲେ। ସେଠାରେ ଅଗ୍ନି ଉତ୍ସବ ସମ୍ପନ୍ନ କରାଯାଇଥିଲା । ସ୍ଥାନୀୟ ରଥଗଡ଼ା ଛକ ମହାଖଳାଠାରେ ପ୍ରଥମେ ଖଟୁଲିରେ ବସିବା ପରେ ନୀତିପୂଜା, ହୋମ କରାଯାଇଥିଲା। ମହାପ୍ରଭୁ ସେଠାରେ ୭ଥର ପରିକ୍ରମା କରିବା ପରେ ଆଳତି କରାଯାଇଥିଲା। ମହାଖଳାଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥବା ନଡ଼ା ଓ କାଠ ଗଦାରେ ଆଳତି ଦ୍ୱାରା ଅଗ୍ନି ସଂଯୋଗ ହୋଇଥିଲା। ଭକ୍ତମାନେ ଶ୍ରୀଫଳ, ବିଭିନ୍ନ ଫଳ ଓ ପରିବା ଅର୍ପଣ କରାଯାଇଥିଲା । ସେହିପରି ବଡ଼ୁ ସାହି, ଜମେଶ୍ବର ପାଟଣା ସାହି, ବ୍ରାହ୍ମଣ ସାହି ଛକଠା‌ରେ ଅଗ୍ନି ଉତ୍ସବ କରିଥିଲେ ।