ଭାରତର କ୍ରିକେଟ୍ ଟିମରେ ତିଷ୍ଠି ରହିବା ଯେକୌଣସି ଖେଳାଳିଙ୍କ ପାଇଁ ବଡ଼ ଚାଲେଂଜ । ଟିମରେ ସାମିଲ ହେବା ଯେତିକି କାଠିକର ପାଠ; ତାକୁ ବଜାୟ ରଖିବା ଆହୁରି କଷ୍ଟକର । ବହୁତ ପ୍ରତିଭାବାନ ଖେଳାଳି ଟିମ୍ ଇଣ୍ଡିଆରେ ଯୋଗଦାନ କରି ବେଶିଦିନ ତିଷ୍ଠି ପାରିନାହାନ୍ତି ।
ହାତଗଣତି ଖେଳାଳି ଲମ୍ବା ସମୟ ଖେଳିବାକୁ ସୁଯୋଗ ପାଉଛନ୍ତି । ଘରୋଇ ମଇଦାନରେ ଭଲ ଖେଳୁଥିବା କ୍ରିକେଟରମାନେ ମଧ୍ୟ ଟିମ୍ ଇଣ୍ଡିଆରେ ସାମିଲ ହୋଇ ପାରୁନାହାନ୍ତି ।
ନିକଟରେ ମନୋଜ ତିୱାରୀ ଶେଷଥର ପାଇଁ ରଣଜୀ ଟ୍ରଫି ଖେଳି ସାରିବା ପରେ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ବିଦାୟୀ ଭାଷଣରେ ମନୋଜ ତାଙ୍କ ଜୀବନର ତିକ୍ତ ଅନୁଭୂତି ବଖାଣିଛନ୍ତି ।
ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଚାର ବ୍ୟବହାରକୁ ସମାଲୋଚନା କରିଥିଲେ । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଆଚରଣ ଓ ଉଚ୍ଚାରଣକୁ ମଧ୍ୟ ମନୋଜ ନାପସନ୍ଦ କରିଛନ୍ତି । ସେ କହିଛନ୍ତି, ଟିମର ଆଗଧାଡ଼ିର ଖେଳାଳିଙ୍କ ମନରେ ପ୍ରବଳ ଅହଂକାର ରହିଛି ଯାହା ଅନ୍ୟ ଖେଳାଳିଙ୍କ ଉପରେ ଖରାପ ପ୍ରଭାବ ପକାଉଛି ।
ମନୋଜ ତିୱାରୀ ୨୦୦୮ରେ ଟିମ୍ ଇଣ୍ଡିଆରେ ଯୋଗଦାନ କରି ୭ ବର୍ଷ ଧରି ତିଷ୍ଠି ରହିଥିଲେ । ତାରି ଭିତରେ ସେ ଆଠୋଟି ଭିନ୍ନଭିନ୍ନ ସିରିଜରେ ୧୨ଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୨୦୧୧ ଡିସେମ୍ବରରେ ସେ ଚେନ୍ନାଇ ମଇଦାନରେ ୱେଷ୍ଟଇଣ୍ଡିଜ ବିରୋଧରେ ୧୦୪ ରନ୍ କରି ତାଙ୍କ ଜୀବନର ପ୍ରଥମ ଆନ୍ତର୍ଜାତୀୟ ଶତକଧାରୀ ହୋଇଥିଲେ ।