୨୪ରୁ ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ୍

ମୁମ୍ବାଇ : ମଙ୍ଗଳବାର ଭାରତ-ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ର ସଂଶୋଧିକ କାର୍ଯ୍ୟକ୍ରମ ଘୋଷଣା କରିଛି। ଏହି ସଂଶୋଧିତ କାର୍ଯ୍ୟକ୍ରମ ଅନୁସାରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଫେବୃଆରୀ ୨୪ରୁ ଟି-୨୦ ସିରିଜ୍ ଆରମ୍ଭ ହେବ। ମୂଳ କାର୍ଯ୍ୟକ୍ରମ ଅନୁସାରେ ଟି-୨୦ ସିରିଜ୍ ପୂର୍ବରୁ ଦୁଇଟି ଟେଷ୍ଟ ସିରିଜ୍ ଖେଳାଯିବାର ଥିଲା। ମାତ୍ର ଶ୍ରୀଲଙ୍କା କ୍ରିକେଟ୍‌ର ଅନୁରୋଧକ୍ରମେ ବିସିସିଆଇ କାର୍ଯ୍ୟକ୍ରମରେ ଏହି ପରିବର୍ତ୍ତନ କରିଛି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପରେ ଟେଷ୍ଟ ମ୍ୟାଚ୍ ଦୁଇଟି୍ ମୋହାଲି ଏବଂ ବେଙ୍ଗାଲୁରୁରେ ଖେଳାଯିବ ବୋଲି ପୂର୍ବରୁ କୁହାଯାଉଥିଲା, ଯାହା ଉପରେ ଏବେ ବିସିସିଆଇ ମୋହର ଲଗାଇଛି।

ମୋହାଲିରେ ମାର୍ଚ୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଥମ ଟେଷ୍ଟରେ ବିରାଟ କୋହଲି ତାଙ୍କ କ୍ୟାରିୟର୍‌ର ୧୦୦ତମ ମ୍ୟାଚ୍ ଖେଳିବେ। ଦ୍ୱିତୀୟ ଟେଷ୍ଟ ବେଙ୍ଗାଲୁରୁରେ ମାର୍ଚ୍ଚ ୧୨ରୁ ୧୬ ପର୍ଯ୍ୟନ୍ତ ଖେଳାଯିବ। ଏହି ମ୍ୟାଚ୍‌ଟି ଦିବାରାତ୍ର ବିଶିଷ୍ଟ ହେବ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଥମ ଟି-୨୦ ମ୍ୟାଚ୍ ଫେବୃଆରୀ ୨୪ରେ ଲକ୍ଷ୍ନୌରେ, ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଧର୍ମଶାଳାରେ ଯଥାକ୍ରମେ ଫେବୃଆରୀ ୨୬ ଓ ୨୭ ତାରିଖରେ ଖେଳାଯିବ।