ପ୍ୟାରିସ ଅଲିମ୍ପିକ୍ସରେ ବଢୁଛି ଭାରତର ପଦକ ସଂଖ୍ୟା

କମାଲ କରୁଛନ୍ତି ଭାରତୀୟ ଖେଳାଳି । ଭାରତକୁ ମିଳିଛି ଆଉ ଏକ ପଦକ । ପୁରୁଷ ୫୦ ମିଟର ରାଇଫଲ୍‌ ସୁଟିଂରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ସ୍ୱପ୍ନିଲ କୁଶାଲେ । ଏହି ପଦକ ସହ ଚଳିତ ଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି । ଏହା ପୂର୍ବରୁ ସୁଟିଂରେ ଭାରତକୁ ଦୁଇଟି ପଦକ ମିଳିସାରିଛି ।

ଅଲିମ୍ପିକ୍ସ ପୁରୁଷ ୫୦ ମିଟର ରାଇଫଲ୍‌ ଥ୍ରୀ ପୋଜିସନ୍‌ ପ୍ରଥମ ଭାରତୀୟ ଭାବେ ସ୍ୱପ୍ନିଲ ମେଡାଲ ଜିତିଛନ୍ତି । ତେବେ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ସୁଟିଂ ଇଭେଣ୍ଟରେ ତିନୋଟି ପଦକ ଜିତିଛି । ଏହା ହେଉଛୀ ସ୍ୱପ୍ନିଲଙ୍କ ପ୍ରଥମ ଅଲିମ୍ପିକ୍ସ । ଏହି ୨୮ ବର୍ଷୀୟ ସୁଟରଙ୍କ ଜୀବନ କାହାଣୀ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଏମଏସ୍‌ ଧୋନିଙ୍କ ଜୀବନ ସହିତ ପ୍ରାୟ ସମାନ । ସ୍ୱପ୍ନିଲ ମହାରାଷ୍ଟ୍ରର କୋଲହାପୁରରେ ଅବସ୍ଥିତ କାମ୍ବଲୱାଡି ଗ୍ରାମର ଅଟନ୍ତି । ସେ ୨୦୧୨ଠାରୁ ଆନ୍ତର୍ଜାତୀୟ ଇଭେଣ୍ଟରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ୧୨ ବର୍ଷର ଦୀର୍ଘ ଅପେକ୍ଷା ପରେ ସେ ଅଲିମ୍ପିକ୍ସରେ ଡେବ୍ୟୁ କରିଥିଲେ ଓ ଡେବ୍ୟୁ ଅଲିମ୍ପିକ୍ସରେ ହିଁ ଭାରତ ପାଇଁ ପଦକ ଜିତିଛନ୍ତି।

ସ୍ୱପ୍ନିଲ କୁସାଲେ ୨୦୧୫ରୁ କେନ୍ଦ୍ରୀୟ ରେଳବାଇରେ କାର୍ୟ୍ୟ କରୁଛନ୍ତି । ଠିକ୍ ଯେପରି ଏମ୍ଏସ୍ ଧୋନି ତାଙ୍କ ଜୀବନରେ ଟିକେଟ୍ କଲେକ୍ଟର ଥିଲେ, ସେହିପରି ସ୍ୱପ୍ନିଲ୍ ମଧ୍ୟ କେନ୍ଦ୍ରୀୟ ରେଳବାଇରେ ଟିକେଟ୍ କଲେକ୍ଟର ଭାବରେ କାର୍ୟ୍ୟ କରନ୍ତି। ଭାରତର ଏହି ପ୍ରତିଭାଶାଳୀ ସୁଟର ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟକ୍ତିତ୍ୱ ଦ୍ୱାରା ବହୁତ ପ୍ରଭାବିତ । ସ୍ୱପ୍ନିଲ କହିଛନ୍ତି ଯେ ସେ ଏମଏସ୍‌ ଧୋନିଙ୍କ ବାୟୋପିକକୁ ଅନେକ ଥର ଦେଖିଛନ୍ତି ଏବଂ କିମ୍ବଦନ୍ତୀ କ୍ରିକେଟରଙ୍କ ସଫଳତାରୁ ପ୍ରେରଣା ନେଇଛନ୍ତି । ଧୋନି କ୍ରିକେଟ୍ ପଡ଼ିଆରେ କୁଲ୍‌ ମାଇଣ୍ଡ ପାଇଁ ଜଣାଶୁଣା । ସେହିପରି ସୁଟିଂରେ ମଧ୍ୟ ଶାନ୍ତ ଏବଂ ଧୈର୍ୟ୍ୟର ଆବଶ୍ୟକ । ସେଥିପାଇଁ ସ୍ୱପ୍ନିଲ ତାଙ୍କ ଜୀବନକୁ ଧୋନିଙ୍କ ସହ ଯୋଡିଥାନ୍ତି ।