ଦୁବାଇ: ଟି-୨୦ ବିଶ୍ୱକପ୍ରେ ସୋମବାର ଖେଳା ଯାଇଥିବା ଏକ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୨୬ ରନ୍ରେ ପରାସ୍ତ କରିବା ସହ ଇଂଲଣ୍ଡ ଅଧିନାୟକ ଇଆନ୍ ମୋର୍ଗାନଙ୍କ ନାଁରେ ଆଉଏକ ରେକର୍ଡର ଫର୍ଦ୍ଦ ଯୋଡି ହୋଇଛି । ସେ ଏହି ଫର୍ମାଟ୍ରେ ସଫଳତମ ଅଧିନାୟକ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅସଗର ଆଫଗାନଙ୍କୁ ପଛରେ ପକାଇ ଇଆନ୍ ଏହି ସଫଳତା ପାଇଛନ୍ତି । ଅଧିନାୟକ ଭାବେ ଧୋନୀ ଓ ଅସଗର ନିଜ ନିଜ ଦେଶ ପାଇଁ ୪୨ଟି ଲେଖାଏଁ ଟି-୨୦ ମ୍ୟାଚ୍ ଜିତିଥିଲେ । ତେବେ ଇଆନ୍ ତାଙ୍କଠାରୁ ଆଉ ପାଦେ ଆଗେଇଛନ୍ତି । ତାଙ୍କ ନେତୃତ୍ୱରେ ଇଂଲଣ୍ଡ ୪୩ଟି ଟି-୨୦ ମ୍ୟାଚ୍ ଜିତିଛନ୍ତି । ଧୋନିଙ୍କ ନେତୃତ୍ୱରେ ଭାରତ ୭୨ଟି ଟି-୨୦ ମ୍ୟାଚ ଖେଳିଥିବା ବେଳେ ୪୨ଟିରେ ବିଜୟୀ ହୋଇଥିଲା । ସେହିପରି ଆଫ୍ଗାନଙ୍କ ନେତୃତ୍ୱରେ ଆଫଗାନିସ୍ତାନ ୫୨ଟି ମ୍ୟାଚ୍ ଖେଳି ୪୨ଟି ଜିତିଥିଲା । ଇଆନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ୨୦୧୯ରେ ପ୍ରଥମଥର ଦିନିକିଆରେ ବିଶ୍ୱକପ୍ ଜିତିଥିଲା । ୨୦୧୫ରେ ଇଂଲଣ୍ଡର ଅଧିନାୟକ ଭାବେ ଦାୟିତ୍ୱ ପାଇବା ପୂର୍ବରୁ ସେ ୨୦୧୨ରେ ଭାରତ ବିପକ୍ଷ ଟି-ଟେଣ୍ଟି ମ୍ୟାଚରେ ନେତୃତ୍ୱ ନେଇଥିଲେ ।