ଟି-୨୦ ବିଶ୍ୱକପ୍‌: ବାଂଲାଦେଶର ପରାଜୟ ବାବର ଟିମ୍‌କୁ ଅଡୁଆ

ସେମି ଫାଇନାଲ ଦ୍ୱାରଦେଶରେ ଭାରତ….

ଡେସ୍କ : ଡକ୍‌ୱର୍ଥ ଲୁଇସ୍‌ ନିୟମ ଆଧାରରେ ବାଂଲାଦେଶକୁ ୫ ରନ୍‌ ବ୍ୟବଧାନରେ ହରାଇ ଭାରତ ସେମିଫାଇନାଲ୍‌ ଦ୍ୱାରଦେଶରେ ପହଂଚିଛି । ଟସ୍‌ ହାରିବା ପରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଭାରତ ୬ ୱିକେଟ୍‌ ବିନିମୟରେ ୧୮୪ ରନ୍‌ କରିଥିଲା । ବର୍ଷା କାରଣରୁ ବାଂଲାଦେଶକୁ ୧୬ ଓଭରରେ ୧୫୧ ରନ୍‌ ଟାର୍ଗେଟ୍‌ ଦିଆଯାଇଥିଲା । ମାତ୍ର ବାଂଲାଦେଶ ୬ ୱିକେଟ୍‌ ହରାଇ ୧୪୫ ରନ୍‌ କରିଥିଲା ।

ବାଂଲାଦେଶକୁ ହରାଇବା ପରେ ଭାରତ ପଏଂଟ ତାଲିକାର ଶୀର୍ଷରେ ଅଛି । ଏବେ ଜିମ୍ବାୱେକୁ ହରାଇବା ପରେ ଭାରତ ୮ ପଏଂଟ ପାଇ ସହଜରେ ସେମି ଫାଇନାଲରେ ପହଂଚିବ । ପାକିସ୍ତାନ ଓ ବାଂଲାଦେଶ ପାଇଁ ୮ ପଏଂଟ ହାସଲ କରିବା କଷ୍ଟସାଧ୍ୟ ହୋଇଯିବ । କିନ୍ତୁ ଯଦି ଭାରତ ଦୁର୍ବଳ ଜିମ୍ବାୱେଠାରୁ ହାରିଯାଏ; ତେବେ ବାଂଲାଦେଶ ନଚେତ୍‌ ପାକିସ୍ତାନ ସହ ନେଟ୍‌-ରନ୍‌ ରେଟ୍‌ ସ୍ଥିତି ସୃଷ୍ଟି ହୋଇପାରେ ।

ବାଂଲାଦେଶ ବିପକ୍ଷରେ ଭାରତ ଜିତିବା ମତଲବ ପାକିସ୍ତାନ ଟିମ୍‌ ପାଇଁ ଅଡୁଆ ବଢ଼ିଗଲା । ଯଦି ପାକିସ୍ତାନ ଦକ୍ଷିଣ ଆଫ୍ରିକାଠାରୁ ହାରିଯାଏ, ତେବେ ଟି-୨୦ ବିଶ୍ୱକପ୍‌ରୁ ପାକିସ୍ତାନ ଆଉଟ୍‌ ହୋଇଯିବ । ପାକିସ୍ତାନ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକାକୁ ହରାଇଲେ ମଧ୍ୟ ୬ ପଏଂଟ ପାଇବ ।

ସେଭଳି ସ୍ଥିତିରେ ପାକିସ୍ତାନ ଆଲ୍ଲାଙ୍କୁ ଡାକି ଜିମ୍ବାୱେ ବାଂଲାଦେଶକୁ ଓ ନେଦରଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ହରାଇବା ପାଇଁ ଆଶୀର୍ବାଦ କାମନା କରିବ । ଆଲ୍ଲାଙ୍କ ଆଶୀର୍ବାଦ ବଳରୁ ପାକିସ୍ତାନର ଦୁର୍ବାର ଆଶା ପୂରଣ ହେଲେ, ଭାରତ ସହିତ ନେଟ୍‌-ରନ୍‌ରେଟ୍‌ ସ୍ଥିତି ଉପୁଜିବ । ତେଣୁ ସବୁଆଡ଼ୁ ବିଚାର କଲେ, ପାକିସ୍ତାନର ସେମି ଫାଇନାଲ୍‌ ପହଂଚିବା ମୁସ୍କିଲ ।