ମହାପ୍ରସାଦ ଦର ବୃଦ୍ଧି ସହରବାସୀଙ୍କ ସମେତ ପର୍ଯ୍ୟଟକ ମଧ୍ୟରେ ତୀବ୍ର ଅସନ୍ତୋଷ

ପୁରୀ(ଏସ୍ ନ୍ୟୁଜ): ମହାପ୍ରସାଦ ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଏହାର ସୁଯୋଗ ନେଇ କେତେକ ସୁଆର ମହାସୁଆର ସେବକ ମନଇଚ୍ଛା ଦର ବୃଦ୍ଧିକରି ଚାଲିଛନ୍ତି। ମହାପ୍ରସାଦ ଦର ପ୍ରାୟ ୩ଗୁଣ ବୃଦ୍ଧି ପାଇଥିବା ଅଭିଯୋଗ ​ହୋଇଛି । ଏଥିଯୋଗୁଁ ସହରବାସୀଙ୍କ ସମେତ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ପରିଚାଳନା କମିଟି ବୈଠକରେ ବାରମ୍ବାର ନିଷ୍ପତ୍ତି ସତ୍ତ୍ବେ ଦରତାଲିକା ଲଗାଯାଉ ନାହିଁ। ପ୍ରଶାସନର ଅବହେଳା ଯୋଗୁଁ କେତେକ ସୁଆର ସେବକ ମନଇଚ୍ଛା ମହାପ୍ରସାଦ ଦର ବୃଦ୍ଧି କରୁଛନ୍ତି।
ମହାପ୍ରସାଦର ଅତ୍ୟଧିକ ଦରବୃଦ୍ଧି ଯୋଗୁଁ ବହୁ ଗରିବ ଭକ୍ତ ମହାପ୍ରସାଦ କିଣିବାରୁ ବଞ୍ଚିତ ହେଉଛନ୍ତି। ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଲେ ପୂର୍ବାପେକ୍ଷା ଡାଲି, ଚାଉଳ, ଘିଅ, କୁଡୁଆ ଏବଂ ପରିବା ଦର ବୃଦ୍ଧି ପାଇଛି। ତାହାକୁ ଦୃଷ୍ଟିରେ ରଖି ମହାପ୍ରସାଦ ଦର ବୃଦ୍ଧି ହେବା ସ୍ବାଭାବିକ । କରୋନା କଟକଣା ଯୋଗୁଁ ଅଳ୍ପ ସେବକ ମହାପ୍ରସାଦ ପ୍ରସ୍ତୁତ କରୁଛନ୍ତି। ଏଥିଯୋଗୁଁ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ମହାପ୍ରସାଦ ଯୋଗାଇ ଦିଆଯାଇ ପାରୁନଥିବା ସେ କହିଛନ୍ତି।