ନୂଆଦିଲ୍ଲୀ,(ଏସ୍ ନ୍ୟୁଜ): ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍-ସମୀକ୍ଷା ବୈଠକ କରିଛନ୍ତି। ଦେଶରେ ହଠାତ କରୋନା ସଂକ୍ରମଣ ବଢ଼ିବାରୁ ଏହାର କାରଣ ଏବଂ ଏହାକୁ କିପରି ରୋକାଯାଇପାରିବ, ସେ ବିଷୟରେ ବୈଠକରେ ଆଲୋଚନା କରାଯାଇଛି। ବୈଠକ ଆରମ୍ଭରୁ ପ୍ରଧାନମନ୍ତ୍ରୀ ଦେଶରେ କୋଭିଡ ସ୍ଥିତି ବିଷୟରେ ଜଣାଇଥିଲେ ବୋଲି ଜଣାପଡ଼ିଛି। ଅନ୍ୟ ଦେଶ ଅପେକ୍ଷା ଭାରତରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା କମ ଥିବା ବେଳେ ୯୬ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା କହିଥିଲେ ପ୍ରଧାନମନ୍ତ୍ରୀ ।
ଏହା ସହ କରୋନା ସଂକ୍ରମଣକୁ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “କିଛି ଜିଲ୍ଲାରେ ଲୋକେ କରୋନା କଟକଣା ମାନୁ ନଥିବା ଦେଖାଯାଉଛି। କିଛି ରାଜ୍ୟରେ ଏବେ ପରୀକ୍ଷା ହାର କମ ହେବା ସହ ଟିକାକରଣ ତ୍ବରାନ୍ବିତ ହୋଇନାହିଁ। ଏସବୁ ମଧ୍ୟ କରୋନା ସଂକ୍ରମଣ ହାର ବଢ଼ିବାର ଏକ କାରଣ। ଏଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ଟିକାକରଣ ବିଷୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। କିଛି ରାଜ୍ୟରେ ଟିକା ନଷ୍ଟ ହେବାର ଖବର ଆସୁଛି, ଏହାକୁ ରୋକିବା ଜରୁରୀ। ଟିକା ଦେଉଥିବା କରୋନା ଯୋଦ୍ଧାମାନେ ଟିକାର ସମାପ୍ତି ତାରିଖ ଉପରେ ନଜର ରଖିବା ଜରୁରୀ। ସଂକ୍ରମଣକୁ ରୋକିବା ପାଇଁ ସାଧାରଣ ଲକଡାଉନ ଲାଗୁ କରିବା ପରିବର୍ତ୍ତେ ସଂକ୍ରମଣ ଅଧିକ ଥିବା ଅଞ୍ଚଳକୁ ମାଇକ୍ରୋ ଜୋନିଂ କରି କଟକଣା ଲଗାଯାଇପାରିବ। କୋଭିଡ-୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପରୀକ୍ଷଣ ଏବଂ କଣ୍ଟାକ୍ଟ ଟ୍ରାକିଂ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।