ଭୁବନେଶ୍ୱର,(ଏସ୍ ନ୍ୟୁଜ): ବରିଷ୍ଠ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର କୁମାର ଜେନାମଣି ଙ୍କ ସୂଚନା ଅନୁଯାଇ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ଓ ଗଭୀର ଅବପାତ ପରେ ବାତ୍ୟାର ରୂପ ନେଇ ସାରିଛି । ଏହାର ନାଁ ‘ୟାସ’ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇଛି ଯେ,ବାତ୍ୟା ପ୍ରକୋପରୁ ପ୍ରବଳ ବର୍ଷା,ପବନ ଆଗାମୀ ୨୪ ଘଣ୍ଟା ଧରି ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ହେବ । ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ବର୍ତ୍ତମାନ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ । ପାରାଦୀପ-ସାଗରଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ । ଏହାର ପ୍ରଭାବରେ ଆଜି ସନ୍ଧ୍ୟାରୁ ପବନ ବହିବା ଆରମ୍ଭ ହେବ । ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୯୦ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ । ଆସନ୍ତାକାଲିଠୁ ପବନର ବେଗ ଘଣ୍ଟାପ୍ରତି ୧୪୫ ରୁ ୧୭୦ କିଲୋମିଟରରେ ପହଞ୍ଚିବ । ଲ୍ୟାଣ୍ଡଫଲ୍ ବେଳକୁ ପବନ ବେଗ ବଢି ଘଣ୍ଟା ପ୍ରତି ୧୮୫ କିଲୋମିଟର ହେବ ବୋଲି ଆକଳନ କରାଯାଇଛି । ବାତ୍ୟା ୟଶ ଏବେ ଦକ୍ଷିଣ-ଦକ୍ଷିଣ ପୂର୍ବ ପାରାଦୀପ ଠାରୁ ୫୪୦ କିମି ଦୂରରେ ରହିଛି । ସେହିପରି ଉତ୍ତର-ଉତ୍ତର ପୂର୍ବ ବାଲେଶ୍ୱର ଠାରୁ ୬୫୦, ଦକ୍ଷିଣ- ଦକ୍ଷିଣ ପୂର୍ବ ଦୀଘା ଠାରୁ ୬୩୦ କିଲୋମିଟର ଦୂରରେ ରହିଛି । ବାତ୍ୟା ଦ୍ୱାରା ଉପକୂଳ ଓଡ଼ିଶାର ୮ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ। ଏ ନେଇ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ରେଡ୍ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।
ଏପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି, ବାତ୍ୟା ‘ୟାସ’ ଦ୍ୱାରା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ପ୍ରଭାବିତ ହେବ। ସେଥିପାଇଁ ଏହି ୪ ଜିଲ୍ଲାକୁ ‘ରେଡ୍ ୱାର୍ଣ୍ଣିଂ କ୍ୟାଟେଗୋରୀ-୧’ରେ ରଖାଯାଇଛି। ସେ କହିଛନ୍ତି, ସୃଷ୍ଟି ହୋଇଥିବା ବାତ୍ୟା ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ବାତ୍ୟାରେ ପରିଣତ ହେବ। ଏହି ବାତ୍ୟା ଗତ ୬ ଘଣ୍ଟାରେ ଗତି ନ କରି ସ୍ଥିର ରହିଛି। ବାତ୍ୟା ସ୍ଥିର ରହିଲେ ଅଧିକ ଶକ୍ତିଶାଳୀ ହେବାର ନଜିର ରହିଛି।
ସେହିପରି ବାତ୍ୟା ‘ୟାସ’ ପାଇଁ ରାଜ୍ୟର ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି। ପାରାଦୀପ ଓ ଧାମରା ପାଇଁ ୪ ନଂ ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ପୁରୀ ଓ ଗୋପାଳପୁର ପାଇଁ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦରରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚାଲିଛି। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୫ ବରିଷ୍ଠ ସଚିବଙ୍କୁ ରାଜ୍ୟ ସରକାର ଗୁରୁ ଦାୟିତ୍ୱ ଦେଇଛନ୍ତି। ସେହିଭଳି ଏନ୍ଡିଆର୍ଏଫ୍ ଓ ଓଡ୍ରାଫର ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଏଠାରେ ଏନ୍ଡିଆର୍ଏଫ୍ର ୫ଟି ଟିମ୍ କାମ କରିବ। ବାତ୍ୟା ମୁକାବିଲାରେ ଓଡ୍ରାଫର ୮୦୦ କର୍ମଚାରୀ ସାମିଲ ହେବ ବୋଲି ଓଡ଼ିଶା ପୁଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।