ଆଜି ସମ୍ଭାବ୍ୟ ବାତ୍ୟା ‘ୟାଶ’ର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ଏନଡିଆରଏଫ୍ ର ପ୍ରଭାବିତ ଜିଲ୍ଲାକୁ ଗ୍ରସ୍ଥ ଆରମ୍ଭ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ସମ୍ଭାବ୍ୟ ବାତ୍ୟା ‘ୟାଶ’ର ମୁକାବିଲା କରିବା ପାଇଁ ଓଡିଶା ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି । ବାତ୍ୟା ଆସିବା ପୂର୍ବରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଉଛି ତଳିଆ ଅଞ୍ଚଳରେ ଏବଂ ବିପଦସଂକୁଳ ବାସସ୍ଥାନରେ ରହୁଥିବା ଲୋକଙ୍କ ସ୍ଥାନାନ୍ତର । ତେଣୁ ଗତ ୨୦ ତାରିଖରେ ଅଗ୍ନିଶମ ମହାନିଦେ୍ର୍ଧଶକ ଏମ୍.ଅକ୍ଷୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିଥ ହୋଇଥିଲା । ସମସ୍ତ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନଙ୍କୁ ଉଦ୍ଧାରକାରୀ ଯନ୍ତ୍ରାଂଶ ଯେପରିକି ପାୱାର ସ, ପାୱାର ବୋଟ, ଲାଇଟ୍ ଇତ୍ୟାଦି ସହ ପ୍ରସ୍ତୃତ ରହିବା ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା । ଶନିବାର ମହାନିଦେ୍ର୍ଧଶକ ଏମ୍. ଅକ୍ଷୟ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାକୁ ଥିବା ଦୁଇ ଗୋଟି ଜିଲ୍ଲା କୁ ଗସ୍ତ କରି ଅଗ୍ନିଶମ କେନ୍ଦ୍ର ଗୁଡିକର ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ପ୍ରଥମେ ଶ୍ରୀ ଅକ୍ଷୟ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ସଦର ମହକୁମାଠାରେ ଜିଲ୍ଲା ପୋଲିସ ଅଧ୍ୟକ୍ଷକଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଏବଂ ବାରିଷ୍ଠ ଅଗ୍ନିଶମ ଅଧିକାରୀ ମାନଙ୍କୁ ନେଇ ବାତ୍ୟାର ମୁକାବିଲା ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା ବୈଠକ କରିଥିଲେ । ତତପରେ ଜଗତସିଂହପୁର ଜିଲ୍ଲା ଗସ୍ତ କରି ପାରାଦୀପ ଠାରେ ଜଗତସିଂହପୁର ପୋଲିସ ଅଧିକ୍ଷକ ତଥା ବରିଷ୍ଠ ପୋଲିସ ଅଧିକାରୀ ଏବଂ ଅଗ୍ନିଶମ ଅଧିକାରୀମାନଙ୍କୁ ନେଇ ସମାନଙ୍କର ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା କରିବା ସଙ୍ଗେ ସାଙ୍ଗ ସମସ୍ତ ଉଦ୍ଧାରକାରୀ ଯନ୍ତ୍ରାଂଶ ସହ କର୍ମଚାରୀ ମାନଙ୍କୁ ପ୍ରସ୍ତୁତ କରି ରଖିବା ପାଇଁ ନିଦେ୍ର୍ଧଶ ଦେବା ସହ ଜିଲ୍ଲା ପୋଲିସ ଓ ପ୍ରଶାସନ ସହ ସମ୍ପୂର୍ଣ୍ଣ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଏହି ଗସ୍ତ ସମୟରେ ମହାନିଦେ୍ର୍ଧଶକ ମଧ୍ୟ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ କେନ୍ଦ୍ରାପଡା ଜିଲ୍ଲାର ଛତାଠାରେ ଥିବା ୧୨୫ ଶର୍ଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଓ ଜଗତସିଂହପୁର ଜିଲ୍ଲାର ପାରାଦୀପ ସ୍ଥିତ ବିଜୁ ଯାତ୍ରୀ ନିବାସରେ ଚାଲିଥିବ ୭୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଦ୍ୱୟ ପରିଦର୍ଶନ କରିଥିଲେ ।

ଏହି ଅବସରରେ ମୁତୟନ ହୋଇଥିବା ଅଗ୍ନିଶମ କର୍ମଚାରୀ ଏବଂ ହସ୍ପିଟାଲ କର୍ମଚାରୀମାନଙ୍କ ସହିତ ଉକ୍ତ ହସ୍ପିଟାଲ ମାନଙ୍କରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥା ଓ ଅଗ୍ନିଶମ ବିଭାଗ ତରଫରୁ ନିଆଯାଇଥିବା ଅଗ୍ନିନିରାପତା ପଦକ୍ଷେପ ଓ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିବା ସହିତ ସମସ୍ତ କର୍ମଚାରୀଙ୍କୁ ଯେ କୌଣସି ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସଜାଗ ରହିବାକୁ ନିଦେ୍ର୍ଧଶ ଦେଇଥିଲେ।
ସୂଚନା ଥାଉକି ଜିଲ୍ଲାପାଳ ଓ ଏସ୍‌ପିମାନେ ଏହି କାର୍ଯ୍ୟକୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ଅଧିକାରୀ ଜିଲ୍ଲାସ୍ତରରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସଜାଗ ଅଛନ୍ତି ଅଗ୍ନିଶମ ବାହିନୀ, ଡ୍ରାଫ ଓ ଏନଡିଆରଏଫ୍ ଟିମ। ଆଜି ପ୍ରଭାବିତ ଆଶଙ୍କା ଥିବା ଉପକୂଳବର୍ତ୍ତୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବ ଉଦ୍ଧାରକାରୀ ଦଳ । ସାଙ୍ଗରେ ନିଜ ନିଜର ସରଞ୍ଜାମ ନେଇ ଉଦ୍ଧାର କାର୍ଯ୍ୟ ପାଇଁ ୨୨ଟି ଏନଡିଆରଏଫ୍, ୬୬ଟି ଓଡ୍ରାଫ ସହ ଅଗ୍ନିଶମ ବାହିନୀର ୧୭୭ଟି ଟିମ୍ ମୁତୟନ ରହିବା ନେଇ ବାହାରିବେ ।

ଅନ୍ୟପଟରେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଆଶ୍ରୟସ୍ଥଳ ବି ଚିହ୍ନଟ ହୋଇଛି । ବିଭିନ୍ନ ଜିଲ୍ଲାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି । ବାଲେଶ୍ୱର ଜିଲ୍ଲାରେ ୧୨ଶହ ୨୩ଟି ବାତ୍ୟା ଆଶ୍ରୟ ସ୍ଥଳ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ୭୦୦, କେନ୍ଦ୍ରାପଡ଼ାରେ ୯୭୦ ଓ ଜଗତସିଂହପୁରରେ ୨୨୩ଟି ଆଶ୍ରୟ ସ୍ଥଳଚିହ୍ନଟ କରି ରଖାଯାଇଛି । ଏଥିସହ ଅକ୍ସିଜେନ୍ ବ୍ୟବସ୍ଥା, ଉଦ୍ଧାର କାର୍ୟ୍ୟ, ରିଲିଫ ସାମଗ୍ରୀ, ଔଷଧ, ପାନୀୟ ଜଳ ଆଦି ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି ।

ଆଜି ବାତ୍ୟା ନେଇ ପାଣିପାଗ ବିଭାଗର ସୂଚନା ପାଇବା ପରେ ଆରମ୍ଭ ହୋଇପାରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା । ବିଶେଷ କରି କରୋନା ସମୟରେ ବାତ୍ୟା ମୁକାବିଲା ବଡ଼ ଚ୍ୟାଲେଞ୍ଜ । କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।