ସହାୟତା ନୁହଁ ଦୀର୍ଘସୂତ୍ରୀ ବ୍ୟବସ୍ଥା ଚାହିଁଲା ଓଡ଼ିଶା

ଭୁବନେଶ୍ୱର,(ଏସ୍ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ତା୨୮/୦୫ ଭୁବନେଶ୍ୱରରେ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିବା ପରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ବୁଲି ଦେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରଠାରୁ ତୁରନ୍ତ ସହାୟତା ବାବଦରେ କୌଣସି ଆର୍ଥିକ ସହାୟତା ମାଗିନାହାନ୍ତି । ବରଂ ବାତ୍ୟାରୁ ରକ୍ଷା ପାଇବା ନିମନ୍ତେ ଦୀର୍ଘସୂତ୍ରୀ ସ୍ଥାୟୀ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ମାଗିଛନ୍ତି ।
ବାତ୍ୟା ପ୍ରକୋପରୁ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୁଖତଃ ଦୁଇଟି ଦୀର୍ଘସୂତ୍ରୀ ସ୍ଥାୟୀ ବ୍ୟବସ୍ଥା ଉପରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି । ପ୍ରଥମତଃ, ବାତ୍ୟାକୁ ସମ୍ଭାଳିପାରୁଥିବା ଭିତ୍ତିଭୂମି ଓ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ କେବୁଲିଂ ବ୍ୟବସ୍ଥା ଦାବି କଲା ଓଡ଼ିଶା l ଏହା ଉନ୍ନତ ଟେକେନୋଲୋଜି ପ୍ରୟୋଗରେ କରାଯାଇପାରିବ । ଦ୍ୱିତୀୟରେ, ଉପକୂଳ ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା । ପ୍ରତିଥର ବାତ୍ୟାରେ ସମୁଦ୍ର ଜୁଆର ମାଡ଼ି ଆସିବା ଦ୍ୱାରା ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହେଉଛି । ଗାଁ ଗାଁରେ ଲୁଣି ପାଣି ପଶି ମାଟିର ଉର୍ବରତା ନଷ୍ଟ ହେଉଛି । ଏହାର ପ୍ରତିକାର ଅତ୍ୟନ୍ତ ଆବଶ୍ୟକ । ସୁତରାଂ କେନ୍ଦ୍ର ସରକାର ଏଥିରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ ।

ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମେ ୮ ମିନିଟ୍ ର ଏକ ବାତ୍ୟା ୟାସ ସମ୍ବଳିତ ଭିଡ଼ିଓ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା । ପରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ପାୱାର୍ ପଏଣ୍ଟ ପ୍ରେଜେଣ୍ଟେସନ୍ କରାଯାଇଥିଲା ।
ବାତ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆମେ ତୁରନ୍ତ ଆର୍ଥିକ ସହାୟତା ମାଗିନାହୁଁ । ୭ ଦିନ ଭିତରେ କ୍ଷୟକ୍ଷତିର ଆକଳନ ସରିଲା ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସରକାରଙ୍କଠାରୁ ତୁରନ୍ତ ଆର୍ଥିକ ସହାୟତା ନ ମାଗିବାର କାରଣ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ୱିଟ୍ ଯୋଗେ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଦେଶ ବର୍ତ୍ତମାନ କୋଭିଡ୍ ମହାମାରୀ ବିରୋଧରେ ଲଢ଼େଇ ଜାରିରଖିଚି । ତେଣୁ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାକୁ ଆମେ ଚାହୁଁନୁ । ସେଥିପାଇଁ ଆମେ କେନ୍ଦ୍ରକୁ ଆର୍ଥିକ ସହାୟତା ଦାବି କରି ମାଗିନାହୁଁ । ଆମେ ଆମର ନିଜସ୍ୱ ସମ୍ବଳରେ ବିପର୍ଯ୍ୟୟ ମୁକାବିଲା କରିବୁ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରଠାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଡିଜିପି ଶ୍ରୀ ଅଭୟ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଉପସ୍ଥିତ ଥିଲେ ।