ମାହାଙ୍ଗାର ପୂର୍ବତନ ବିଧାୟକ ତଥା ଶିକ୍ଷକନେତା ବିକ୍ରମ କେଶରୀ ବର୍ମାଙ୍କ ପରଲୋକ

ମାହାଙ୍ଗା,(ଏସ୍ ନ୍ୟୁଜ)ତା ୦୫/୦୬: ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ ଘଟିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ୨୦୦୪ରୁ୨୦୦୯ ପର୍ଯ୍ଯନ୍ତ ମାହାଙ୍ଗାର ବିଧାୟକ ଥିଲେ ବିକ୍ରମ କେଶରୀ ବର୍ମା। ୧୯୯୬ ରୁ ୨୦୦୦ ମସିହା ପର୍ଯ୍ଯନ୍ତ ଥିଲେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ। ତାଙ୍କ ବିୟୋଗ ନେଇ ତାଙ୍କ ଝିଅ କ୍ରିଷ୍ଣା କୁମାରୀ ବର୍ମା ସୂଚନା ଦେଇଛନ୍ତି।
ସ୍ୱର୍ଗତ ବିକ୍ରମ କେଶରୀ ବର୍ମା ଓଡ଼ିଶା କାଜୁ ନିଗମର ଅଧ୍ୟକ୍ଷ ହୋଇଥିଲେ । ସେ ଜଣେ ଶିକ୍ଷକ ନେତା ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ସେ ଜଣେ ସରଳ, ମିଷ୍ଠଭାଷୀ, ନିଷ୍କପଟ ପରୋପକାରୀ , ବନ୍ଧୁବତ୍ସଳ , ସମାଜସେବୀ ଥିଲେ । ମାହାଙ୍ଗା ଅଞ୍ଚଳର ବିକାଶ ପାଇଁ ସେ ସ୍ମରଣୀୟ ହୋଇ ରହିଛନ୍ତି ଓ ରହିବେ । ତାଙ୍କର ବିୟୋଗ ଅତ୍ୟନ୍ତ ଦୁଃଖ ଦାୟକ ବୋଲି ମନ୍ତ୍ରୀ ପ୍ରତାପ ଜେନା ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ବର୍ମାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି। ।