ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗ

ଭୁବନେଶ୍ୱର,(ଏସ୍ ନ୍ୟୁଜ)ତା ୦୫/୦୬: ଜାତୀୟ ପୁରସ୍କାର ପ୍ରାପ୍ତ ବର୍ଷିଆନ ଅଭିନେତା, ନାଟ୍ୟ କଳାକାର ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ଘଟିଛି । ସ୍ବର୍ଗତଃ ପଣ୍ଡା କିଛିଦିନ ଧରି ଅସୁସ୍ଥ ହୋଇ ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ୯୩ ବର୍ଷ ବୟସରେ ତାଙ୍କ ଦେହାନ୍ତ ଖବର ସମଗ୍ର ରାଜ୍ୟରେ ବିଶେଷ କରି ପଶ୍ଚିମ ଓଡ଼ିଶାରେ ଶୋକରଛାୟା ଖେଳିଯାଇଛି।

ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଅଟଳ ବିହାରୀ ପଣ୍ଡା ଜନ୍ମ ଗ୍ରହଣ କରିଥିଲେ । ୧୯୪୪ରେ ସେ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହା ପରେ ସେ ତାଙ୍କ ଜୀବନକାଳ ମଧ୍ୟରେ ଆଗକୁ ବଢିଚାଲିଥିଲେ । ୧୦୦ ଅଧିକ ଲୋକପ୍ରିୟ ନାଟକ ରେ ନିଖୁଣ ଅଭିନୟ କରି ପ୍ରଶଂସା ସାଉଁଟିଥିବା ସ୍ବର୍ଗତଃ ପଣ୍ଡା ୮୩ ବର୍ଷ ବୟସରେ ସବ୍ୟସାଚୀ ମହାପାତ୍ର ଙ୍କ ନିର୍ଦ୍ଦେଶିତ ଚଳଚିତ୍ର ‘ଶଲାବୁଢା଼’ରେ ପ୍ରଥମେ ଅଭିନୟ କରି ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ।ଚଳଚିତ୍ର “ଶଲାବୁଢ଼ା” ରେ ରେ ସ୍ବର୍ଗତଃ ପଣ୍ଡାଙ୍କ ନିଖୁଣ ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ସହିତ ୨୫ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ “ଆଦିମ ବିଚାର” ରେ ଶ୍ରେଷ୍ଠ ସଂଳାପ ଲେଖକ ଭାବେ ୨୬ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ସ୍ବର୍ଗତଃ ପଣ୍ଡା ଏକାଧାରରେ ଜଣେ ନାଟ୍ୟକାର , ଅଭିନେତା ଓ ସଂଳାପ ଲେଖକ ଥିଲେ।ସେଭଳି କଳାକାର ଆଉ ଜନ୍ମ ହେଲା ଭଳି ନାହିଁ । ରାଜ୍ୟ କଳାକାର ଜଗତ ପାଇଁ ଅପୁରଣୀୟ କ୍ଷତି। ଅଭିନୟ କ୍ଷେତ୍ରରେ ପାରଦର୍ଶିତା ପାଇଁ ସ୍ବର୍ଗତ ପଣ୍ଡାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡି ଲିଟ ଡିଗ୍ରୀ ସହ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଗୁଡିଏ ପୁରସ୍କାର ସାଉଁଟିଛନ୍ତି।