ବିଜେଡିକୁ ଅପରାଜୀତାଙ୍କ ୧୧ଟି ପ୍ରଶ୍ନ ପଢନ୍ତୁ ସମ୍ପୂର୍ଣ ଖବର

ଭୁବନେଶ୍ୱର,(ଏସ୍ ନ୍ୟୁଜ)ତା ୦୫/୦୬ : ଗତ ୨୨ ବର୍ଷ ଧରି ଓଡିଶାର ବିକାଶ ବିଷୟରେ ଶାସକ ବିଜେଡି ଯାହା ପ୍ରଚାର ଓ ପ୍ରସାର କରୁଛି ତାହା ସଂପୂର୍ଣ୍ଣ ଭିନ୍ନ ଏବଂ ବାସ୍ତବରେ ବିକାଶ ଚିତ୍ର ସଂପୂର୍ଣ୍ଣ ଭିନ୍ନ ବୋଲି ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି । ମିଳିତ ଜାତିସଂଘ ସହାୟତାରେ ନୀତି ଆୟୋଗ ଦ୍ୱାରା ସଦ୍ୟ ପ୍ରକାଶ ପାଇଥିବା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି-Sustainable Development Goal ) ସୁଚକାଙ୍କ ଆଧାରରେ ଦେଶର ୨୮ଟି ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ତଳଆଡୁ ୫ମ ସ୍ଥାନରେ ରହିଛି । ଦେଶରେ ସ୍ଥାୟୀତ୍ୱ, ସ୍ଥିରତା ଓ ସମନ୍ୱୟ ଆଣିବା ନିମନ୍ତେ ନୀତି ଆୟୋଗ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ ହୋଇଥାଏ । ଓଡିଶା ପ୍ରସଙ୍ଗରେ ଏହି ରିପୋର୍ଟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି ।
ଏସ୍‌ଡିଜି ମାନ୍ୟତାରେ ଓଡିଶାର ସ୍ଥାନ ୧୫ ରୁ ୧୯ କୁ ପହଂଚିଛି, ଯାହାକି ନାଗାଲାଣ୍ଡ ଓ ଛତିଶଗଡ ରାଜ୍ୟର ସମକ୍ଷକ । ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ (Critical Indicator ) ଆଧାରରେ ଓଡିଶା ବିକାଶ କ୍ଷେତ୍ରରେ ନୀତି ଆୟୋଗ ରିପୋର୍ଟ ଏସ୍‌ଡିଜି ଲକ୍ଷ୍ୟ ହାସଲରେ ଦେଶରେ ନିମ୍ନରୁ ୫ ନମ୍ବର ସ୍ଥାନରେ ଓଡିଶା ଅଛି । ଏହି ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ଗୁଡିକ ହେଲା ଦାରିଦ୍ର‌୍ୟ ଦୂରୀକରଣ, କ୍ଷୁଧାମୁକ୍ତି, ଉତମ ସ୍ୱାସ୍ଥ୍ୟ ଓ ଜୀବନଧାରଣକ୍ଷମତା, ଉନ୍ନତ ମାନର ଶିକ୍ଷା, ଲିଙ୍ଗ ଭିତିକ ସମାନତା ଏବଂ ଶାନ୍ତି, ନ୍ୟାୟ ଓ ସୁଦୃଢ ଅନୁଷ୍ଠାନ । ଏହି କ୍ଷେତ୍ରରେ ଓଡିଶାର ସ୍ଥାନ ଅତ୍ୟନ୍ତ ନିମ୍ନସ୍ତରରେ ରହିଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ପ୍ରାକୃତିକ ସଂପଦରେ ଓଡିଶା ରାଜ୍ୟ ଭରପୁର ହୋଇଥିଲେ ମଧ୍ୟ ଲୋକମାନଙ୍କ ଜୀବନ ଧାରଣାର ମାନକୁ ଯଦି ଅନୁଧ୍ୟାନ କରାଯାଏ, ଓଡିଶା ସର୍ବଦା ପଛରେ ରହିଆସିଛି । ଦାରିଦ୍ର‌୍ୟ ଦୂରୀକରଣରେ ଓଡିଶା ତଳ ଆଡୁ ୩ୟ ସ୍ଥାନରେ ଅଛି । ସମୁଦାୟ ଜନସଂଖ୍ୟାର ୩୩ ପ୍ରତିଶତ ଜାତୀୟ ଦାରିଦ୍ର‌୍ୟ ସୀମାରେଖା ତଳେ ରହିଛନ୍ତି, ଏହି ସଂଖ୍ୟା ପଡୋଶୀ ଆନ୍ଧ୍ରପ୍ରଦେଶରେ ଏହା ମାତ୍ର ୯.୨ ପ୍ରତିଶତ ରହିଛି । ସେହିପରି ଓଡିଶାରେ ୧୪.୨ ପ୍ରତିଶତ କଚ୍ଚା ଘର ଅଛି, ଏହି ସଂଖ୍ୟା ପଡୋଶୀ ପଶ୍ଚିମବଙ୍ଗରେ ମାତ୍ର ୬ ପ୍ରତିଶତ ରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ ପକ୍କା ଘର ଆବଂଟନ କରୁଛନ୍ତି । ମାତ୍ର ତାହା କାହିଁକି ପ୍ରତିଫଳିତ ହେଉନାହିଁ ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି ।
କ୍ଷୁଦାମୁକ୍ତ ରାଜ୍ୟ ତାଲିକାରେ ଦେଶର ୨୮ଟି ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ତଳ ଆଡୁ ୬ ନମ୍ବର ସ୍ଥାନରେ ଅଛି । ୪୮ ପ୍ରତିଶତ ରାଜ୍ୟର ମହିଳାମାନେ ରକ୍ତହୀନତାର ଶିକାର ହେଉଥିବାବେଳେ ୫ ବର୍ଷରୁ କମ୍ ବୟସରେ ଶିଶୁଙ୍କ କ୍ଷେତ୍ରରେ ୨୯ ପ୍ରତିଶତ ଅପପୃଷ୍ଟିର ଶିକାର ହେଉଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କ ପ୍ରଦତ ପାଂଠିରୁ ଅଙ୍ଗନବାଡିରେ ବ୍ୟାପକ ଦରମା ବ୍ୟବସ୍ଥା ଏବଂ ଅଙ୍ଗନବାଡି କେନ୍ଦ୍ର ନିର୍ମାଣରେ ବହୁ ଅର୍ଥ ଅନୁଦାନ ସତ୍ୱେ ଓଡିଶାରେ ବହୁ ସଂଖ୍ୟାରେ ଶିଶୁମାନେ ଅପପୃଷ୍ଟିଗ୍ରସ୍ତ ଏବଂ ଶାରରୀକ ତଥା ମାନସିକ ସ୍ତରରେ ସ୍ଥାଣୁ ହୋଇଛନ୍ତି । ଏହା ଛଡା ଗର୍ଭବତୀ ମହିଳାମାନେ ବହୁ ସଂଖ୍ୟାରେ ରକ୍ତହୀନତା ଏବଂ ଶାରରୀକ ସମସ୍ୟାର ଶିକାର ହୋଇଛନ୍ତି, ଯାହାକି ଦେଶରେ ସବୁଠାରୁ ଅଗ୍ରଭାଗରେ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଶ୍ରୀମତୀ ଷଡଙ୍ଗୀ କ୍ଷୋଭ ପ୍ରକାଶ କରି କହିଛନ୍ତି ।
ଉନ୍ନତମାନ ଶିକ୍ଷା ପ୍ରଦାନ କ୍ଷେତ୍ରରେ ୨୮ ଟି ରାଜ୍ୟ ମଧ୍ୟରୁ ଓଡିଶା ତଳଆଡୁ ୬ ନମ୍ବର ସ୍ଥାନରେ ରହିଛି । ଶିକ୍ଷା ବ୍ୟବସ୍ଥାର SSA, DPEP ଭଳି ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଯୋଜନା ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଯୋଗାଇ ଦିଆଯାଉଥିବାବେଳେ ରାଜ୍ୟରେ ବିଦ୍ୟାଳୟ ଗୁଡିକର ମୈାଳିକ ଭିତିଭୂମି ତଥା ସମସ୍ତ ସୁବିଧା ଗୁଡିକରୁ ବଂଚିତ ରହିଛନ୍ତି । ୨୦୧୫-୧୬ ବର୍ଷଠାରୁ ଆଜି ପର୍ଯ୍ୟନ୍ତ ୮ ଲକ୍ଷ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିତ୍ୟାଗ କରିଥିବାବେଳେ ୫ ଲକ୍ଷ ବେସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି ଏବଂ ଅବଶିଷ୍ଟ ଅଧାରୁ ପାଠପଢା ଛାଡିଛନ୍ତି ।
ଲିଙ୍ଗ ସମାନତା କ୍ଷେତ୍ରରେ ଓଡିଶାର ସ୍ଥାନ ତଳଆଡୁ ୧୧ ନମ୍ବରରେ ଅଛି । ଓଡିଶାରେ ମହିଳା ବିରୋଧରେ ହିଂସା କ୍ଷେତ୍ରରେ ପରିସ୍ଥିତି ଖରାପରୁ ଖରାପ ପରିସ୍ଥିତିରେ ପହଂଚିଛି । ଏନସିଆରବି ରିପୋର୍ଟ ଅନୁଯାୟୀ ଓଡିଶାରେ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୧୦୩.୫ ଜଣ ମହିଳା ହଂସାର ଶିକାର ହେଉଥିବାବେଳେ ୮.୩ ପ୍ରତିଶତ ଅପରାଧୀ ଦଣ୍ଡ ପାଇଥାନ୍ତି । ସେହିଭଳି ମହିଳାବିରୋଧୀ ହିଂସାଜନିତ ମାମଲାରେ ୯୪.୭ ପ୍ରତିଶତ ଅପାରାଧିମାନଙ୍କର ବିଚାର ବର୍ତମାନ ସୁଦ୍ଧା ହୋଇପାରିନାହିଁ । ଏନସିଆରବି ରିପୋର୍ଟ ଅନୁଯାୟୀ ନିୟମିତ ଭାବେ ଆମ ରାଜ୍ୟର ମହିଳାମାନଙ୍କ ବିରୁଦ୍ଧରେ ହିଂସା ବଢିଚାଲିଛି । ୨୦୧୫ ମସିହାରେ ମହିଳା ବିରୁଦ୍ଧରେ ଅପରାଧ ୧୭୨୦୦, ୨୦୧୬ରେ ୧୭୮୩୭, ୨୦୧୭ରେ ୨୦୦୯୮, ୨୦୧୮ରେ ୨୦୨୭୨, ୨୦୧୯ରେ ୨୩୧୮୩କୁ ବୃଦ୍ଧି ପାଇଛି । ମହିଳାବିରୋଧୀ ହିଂସା ରୋକିବା ପାଇଁ ରାଜ୍ୟ ସରକାର କଣ କଣ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ?
ଅର୍ଥନୈତିକ ବିକାଶ ଓ ରୋଜଗାରର ବାତାବରଣରେ ଓଡିଶା ତଳ ଆଡୁ ୨ୟ ସ୍ଥାନରେ ରହିଛି । ଆୟ ବିଷମତା (income inequality) ଓଡିଶାରେ କ୍ରମାଗତ ବୃଦ୍ଧି ପାଇଚାଲିଛି । ଭୂବନେଶ୍ୱର ଓ କଟକର ବିକାଶର ମାନଚିତ୍ର ଓଡିଶାର ସମଗ୍ର ବିକାଶ ସ୍ଥିତି ନୁହେଁ । ଓଡିଶାର ଦୂରଦୁରାନ୍ତ ଗ୍ରାମାଂଚଳର ସ୍ଥିତି ସଂପୂର୍ଣ୍ଣ ଭିନ୍ନ । ଦୁର୍ଭାଗ୍ୟର ବିଷୟ ଓଡିଶାର ଯୁବକମାନେ କର୍ମସଂସ୍ଥା ଅନ୍ୱେଷଣରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ଦିଲ୍ଲୀ ଆଦି ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଇଜ୍ ଅଫ୍ ଡୁଇଙ୍ଗ ବିଜିନେସରେ ଆମେ ଶୂନ୍ କାହିଁକି ? ସମଗ୍ର ଦେଶରେ ଆମ ସ୍ଥାନ ୧୨ରୁ ୧୪କୁ କାହିଁକି ହୋଇଛି ? ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ କ୍ଷେତ୍ରରେ ଯୁବକ ଓ ଗରୀବଙ୍କ ଉନ୍ନତି ପାଇଁ ଶାସକ ବିଜେଡି ରାଜ୍ୟରେ ଗତ ୨୨ ବର୍ଷ ମଧ୍ୟରେ କଣ କରିଛନ୍ତି, ସେ ନେଇ ରାଜ୍ୟ ସରକାର ରିପୋର୍ଟ ପ୍ରକାଶ କରିବାକୁ ଶ୍ରୀମତୀ ଷଡଙ୍ଗୀ ଦାବୀ କରିଛନ୍ତି । ଶାସକ ବିଜେଡି ସରକାର ସତ୍ୟକୁ ସର୍ବଦା ଲୁଚାଇ ଶାସନ କ୍ଷେତ୍ରରେ ଅତି ଉତମ ଏବଂ ଏଠାରେ ବିଶ୍ୱସ୍ତରୀୟ ପ୍ରକଳ୍ପମାନ ହେଉଛି ବୋଲି ମିଥ୍ୟା ପ୍ରଚାର କରି ଆସୁଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ପୂର୍ବରୁ ଗତ ୨୦୨୦ ମସିହା ଅକ୍ଟୋବର ମାସରେ କୋଭିଡ୍ ପରିଚାଳନା ସଂପର୍କରେ ୬ଟି ପ୍ରଶ୍ନ ପଚାରିଥିଲି । ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ବର୍ତମାନ ସୁଦ୍ଧା କୈାଣସି ଉତର ମିଳିଲା ନାହିଁ । ଏହି ଅବସରରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଏବଂ ଉମାକାନ୍ତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ମୋଟା ୧୧ଗୋଟି ଅର୍ଥାତ ପଚାରିଥିବା ୬ଟି ପ୍ରଶ୍ୱ ସମେତ ଆଜି ପଚାରିଥିବା ୫ଟି ପ୍ରଶ୍ନର ଉତର ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଦେବେ ବୋଲି ଶ୍ରୀମତୀ ଷଡଙ୍ଗୀ ଆଶାବ୍ୟକ୍ତ କରିଛନ୍ତି ।