କେନ୍ଦ୍ରାପଡାରେ ୧୪୪ ଧାରା,ତଦନ୍ତ ଆରମ୍ଭ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଗ୍ୟାଙ୍ଗଷ୍ଟର ସେକ୍ ହାଇଦର ଏନକାଉଂଟର ଘଟଣାରେ କଟକ ଓ ବାଲେଶ୍ୱର ପୋଲିସ ତଦନ୍ତ ଆରମ୍ଭ କରିଛି । ଅତିରିକ୍ତ ଡିସିପି ପ୍ରମୋଦ ରଥ ଓ ବାଲେଶ୍ୱର ଏସଡିପିଓ ଶ୍ରୀହର୍ଷ ମିଶ୍ରଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଓ ସାଇଂଟିଫିକ ଟିମ ମିଳିତ ଭାବେ ଘଟଣାସ୍ଥଳରେ ଛାନଭିନ ଚଳାଇଛନ୍ତି । ଘଟଣାସ୍ଥଳରୁ ପୋଲିସ ଦୁଇଟି ଖୋକା ଜବତ କରିଛି । ପାରିପାଶ୍ୱିର୍କ ସ୍ଥିତି ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି । ସେହିପରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହାଇଦର ଶବବ୍ୟବଚ୍ଛେଦ କରାଯିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।
ଅନ୍ୟପକ୍ଷରେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି ହୋଇଛି । ନିରାପତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କେନ୍ଦ୍ରାପଡ଼ା ସହରରେ ୧୪୪ ଧାରା ଜାରି କରିଛନ୍ତି । ଶନିବାର ରାତି ୧୧ଟାରୁ ଜାରି ହୋଇଥିବା ଏହି କଟକଣା ଆସନ୍ତା ୩୦ ତାରିଖ ସକାଳ ୧୧ଟା ଯାଏଁ ବଳବତର ରହିବ । କେନ୍ଦ୍ରାପଡ଼ା ପୌରାଂଚଳ ଓ ନିକଟସ୍ଥ ୪ଟି ପଂଚାୟତ- ବାରିମୂଳ, କପାଳେଶ୍ୱର, ଗୁଲନଗର ଓ ଜମଧରରେ ଏହି ୧୪୪ ଧାରା ଜାରି କରାଯାଇଛି । କୌଣସି ଅଘଟଣ ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।
ଏହି ସମୟରେ କୌଣସି ସ୍ଥାନରେ ୫ଜଣରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ମନା କରାଯାଇଛି । ୧୪୪ ଧାରା ଜାରି ହୋଇଥିବା ଅଂଳରେ ସକାଳ ୭ରୁ ଦିନ ୧୧ଟା ଯାଏଁ ଦୋକାନ-ବଜାର ଖୋଲା ରହିବ । ତେବେ କେବଳ ଗ୍ରୋସରୀ, ପରିବା ଓ ଆମିଷ ଦୋକାନ ଖୋଲା ରହିବା । ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ଏହି ସମୟରେ ସହରରେ ପୋଲିସ ପାଟ୍ରୋଲିଂକୁ ଜୋରଦାର କରାଯାଇଥିବା ବେଳେ ଗାଡି-ମୋଟର ଯାଂଚକୁ କଡାକଡି କରାଯାଇଛି । ଅଟୋ, କାର ଓ ଅନ୍ୟାନ୍ୟ ଗାଡିରେ ଯାଉଥିବା ଯାତ୍ରୀଙ୍କୁ କଡା ଚେକିଂ କରାଯାଉଛି । ତେବେ ହାଇଦର ମୃତ୍ୟୁ ପରେ କେନ୍ଦ୍ରାପଡା ଅପରାଧଜଗତରେ କୋକୂଆ ଭୟ ସୃଷ୍ଟି ହୋଇଥିବା ବେଳେ ସୁସ୍ଥ ସମାଜ ପାଇଁ ଏହା ଆସ୍ୱସ୍ତି ଆଣି ଦେଇଛି ।