ଏସସିବି କୋଭିଡ ହସ୍ପିଟାଲର ୪ ମହଲାରୁ ଖସିପଡି ରୋଗୀ ମୃତ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ପୁଣି ଚର୍ଚ୍ଚାରେ କଟକ ବଡ ମେଡିକାଲ । କଟକ ଏସସିବି କୋଭିଡ ହସ୍ପିଟାଲରେ ପୁଣି ଏକ ଅଘଟଣ ଘଟିଯାଇଛି । ଏସସିବି କୋଭିଡ ହସ୍ପିଟାଲ-୧ର ଚାରି ମହଲାରୁ ଖସିପଡି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ରୋଗୀ ଜଣକ ଝରକା ପଟେ ତଳକୁ ଖସିପଡିଥିବା ଜଣାପଡିଛି । କିନ୍ତୁ କେଉଁ ପରିସ୍ଥିତିରେ ପଡିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ସୂଚନା ମୁତାବକ, ମୃତ ରୋଗୀ ଜଣକ ବୁଧବାର ଦିନ ଏସସିବି କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲାର ହୋଇଥିବା ବେଳେ କରୋନା ପଜିଟିଭ ଚିହ୍ନଟ ପରେ ସେ କଟକ ଆସିଥିଲେ । ସେହିପରି ମଙ୍ଗବାର ଦିନ ଜଣେ ବୃଦ୍ଧ ମଧ୍ୟ କୋଭିଡ ହସ୍ପିଟାଲ ପାଇଖାନାରେ ପ୍ରାଣ ହରାଇଥିଲେ ।

ପ୍ରତିଥର କଟକ ଏସସିବି କୋଭିଡ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଅବହେଳା ହେଉଛି। ଫଳରେ ଗୋଟିଏ ପରେ ଗୋଟିଏ ଜୀବନ ଚାଲିଯାଉଛି। ୩ ଦିନ ବ୍ୟବଧାନରେ ସନ୍ଦେହଜନକ ଭାବେ ଆଖି ବୁଜିଲେଣି ୨ ରୋଗୀ। ମଙ୍ଗଳବାର ଜଣେ ବୃଦ୍ଧ କୋଭିଡ୍ ହସ୍ପିଟାଲର ବାଥରୁମରେ ପ୍ରାଣ ହରାଇଥିବା ବେଳେ ଗତ ରାତିରେ ଚାରି ମହଲା ଝରକାରୁ ପଡ଼ି ଆଉ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି।