ଚର୍ଚ୍ଚାରେ ଅଙ୍ଗଦ କହଁର: ପ୍ରଥମେ ଚାଷୀ, ପରେ ବିଧାୟକ

କନ୍ଧମାଳ,(ଏସ୍ ନ୍ୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପକାରୀ ଗାଁରେ ଜନ୍ମିତ ଏହି ଜନନେତା, ନିଜ ପରିବାରକୁ ରାଜନୀତିଠାରୁ ଦୂରେଇ ରଖିଛନ୍ତି । ପୁଅ ଓ ସ୍ତ୍ରୀଙ୍କୁ ନେଇ ବିଲରେ ଚାଷ କାମ କରିନ୍ତି । ସ୍ୱାମୀ ବିଧାୟକ ହୋଇଥିଲେ ବି ସ୍ତ୍ରୀ ଜମିରେ ମୁଲିଆଙ୍କ ସହ ତଳି ରୁଅନ୍ତି, ଜଙ୍ଗଲକୁ ଯାଇ ପତ୍ର ସଂଗ୍ରହ କରି ଠୋଲ ଓ ଖଲି ପ୍ରସ୍ତୁତ କରନ୍ତି । ମାଟିର ଏହି ମଣିଷଙ୍କୁ ଛୁଇଁ ପାରିନାହିଁ ଆଧୁନିକ ଦୁନିଆର ଚାକଚକ୍ୟ ଚଳଣି । ଆଜି ବି ଜେଜେବାପାଙ୍କ ଅମଳରୁ ଥିବା ମାଟିଘରେ ରୁହନ୍ତି, ପତ୍ର ଠୋଲାରେ ଖାଆନ୍ତି । ଯଦିଓ ବିଧାୟକଙ୍କର ଦୁଇ ମହଲା କୋଠା ଘର ରହିଛି କିନ୍ତୁ ସେଠି ସେ ରୁହନ୍ତି ନାହିଁ । କୋଠା ଘରେ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ପୁଣି ସେହି ମାଟି ଘରକୁ ଚାଲି ଆସନ୍ତି ଅଙ୍ଗଦ କହଁର । ବର୍ତ୍ତମାନ ସମୟରେ ଏଭଳି ଜଣେ ବିଧାୟକ ମିଳିବା ବହୁ କଷ୍ଟ । ଅଙ୍ଗଦ କହଁରଙ୍କ ଏହି ସବୁ ଗୁଣ ଓ ଜୀବନଶୈଳୀ ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ଆଦର୍ଶ ନିଶ୍ଚୟ ।