ଭୁବନେଶ୍ୱର,(ଏସ୍ ନ୍ୟୁଜ): ଡାକ୍ତରଙ୍କ ଭୁଲ୍ ଯୋଗୁ ଅଚଳ ହୋଇଗଲାଣି ଗୋଡ଼। ଉନ୍ନତ ମାନର ଚିକିତ୍ସା ପାଇଁ ପାଖରେ ନାହିଁ ସମ୍ବଳ। ଗୁହାରୀ କଲେ ବି ସରକାର ଶୁଣୁ ନାହାନ୍ତି। ଏପରିକି ଇଚ୍ଛାମୃତ୍ୟୁ ପାଇଁ ବି ଅନୁମତି ଦେଉ ନାହାନ୍ତି। ଯନ୍ତ୍ରଣା ଅସହ୍ୟ ହେଉଥିବା ବେଳେ ଚାରି ଆଡ଼ୁ ନିରାଶ ହୋଇ ଆଜି ବିଧାନସଭା ସମ୍ମୁଖରେ ସେ ହାତ କାଟି ଦେବା ସହ ବିଷ ପିଇ ଦେଇଥିଲେ। ତାଙ୍କ ନାଁ ଦୁଷ୍ମନ୍ତ ଦାସ। ତାଙ୍କ ଘର ଜଗତସିଂପୁର ଜିଲ୍ଲା କୁଜଙ୍ଗରେ।ଏସସିବି କର୍ତ୍ତୃପକ୍ଷଙ୍କ ଚିକିତ୍ସା ଅବହେଳା ଏବଂ ସରକାରଙ୍କ ସ୍ଥାଣୁତା ପ୍ରତିବାଦରେ ଆତ୍ମହତ୍ୟା ପରି ଚରମ ପନ୍ଥା ଆପଣେଇବାର ନିଷ୍ପତ୍ତି ନେଇଥିଲେ ଦୁଷ୍ମନ୍ତ । ୨୨ ମାର୍ଚ୍ଚ ୨୦୨୦ରେ ଦୁଷ୍ମନ୍ତ ଦୁର୍ଘଟଣାର ଶିକାର ହୋଇଥିଲେ । ବାମ ଗୋଡରେ ଗଭୀର କ୍ଷତ କାରଣରୁ ଏସିସିବିରେ ତାଙ୍କ ଗୋଡର ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା । କରୋନା ପରସ୍ଥିତିର ଆଳ ଦେଖାଇ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉନଥିଲା । ଶେଷରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଥିଲା । ଅସ୍ତ୍ରୋପଚାରରେ ତ୍ରୁଟି ରହିଥିବା କଥା ସ୍ୱୀକାର କରିଥିଲେ ହେଁ ପରବର୍ତ୍ତୀ ଚିକିତ୍ସା ଯୋଗାଇବାକୁ ଅମଙ୍ଗ ହୋଇଥିଲେ ଏସସିବି କର୍ତ୍ତୃପକ୍ଷ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଦପ୍ତର ଦୌଡି ଦୌଡି ନିରାଶ ହେବା ପରେ ଆତ୍ମହତ୍ୟାର ପଥ ଆପଣେଇବାକୁ ଚେଷ୍ଟା କରିଥିଲେ ଦୁଷ୍ମନ୍ତ ।