ରାଜ୍ୟ ଅର୍ଥନୀତିର ଅଧୋଗତି: ଋଣ ବୋଝରୁ ଋଣ ଜନ୍ତାକୁ ଦ୍ରୁତଗତି ରାଜ୍ୟ କରିଥିବା ଋଣ ଟଙ୍କାର ସଠିକ୍ ବିନିଯୋଗ ନେଇ ଶ୍ୱେତପତ୍ର ଦାବି କଲା କଂଗ୍ରେସ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଓଡ଼ିଶା ସରକାରଙ୍କ ଅର୍ଥନୀତିର କୁ-ପରିଚାଳନା ଯୋଗୁଁ ରାଜ୍ୟ ଋଣବୋଝରୁ ଯାଇ ଋଣ ଜନ୍ତାରେ ପଡ଼ିବାର ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ମୁଖପାତ୍ର ପ୍ରଶାନ୍ତ ଶତପଥି ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଆର୍ଥିକ ନୀତିକୁ କଡ଼ା ସମାଲୋଚନା କରି କହିଥିଲେ ଯେ, ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ୨୩ ହଜାର ୭ ଶହ ୬୧ ଟଙ୍କା କୁ ବୃଦ୍ଧି ପାଇବା ରାଜ୍ୟ ଅର୍ଥନିତୀର ବିକଳ ଚିତ୍ରକୁ ସାମ୍ନାକୁ ଆଣିଛି । ପବିତ୍ର ବିଧାନସଭା ଗୃହ ଭିତରେ ମାନ୍ୟବର ଅର୍ଥମନ୍ତ୍ରୀଙ୍କ ସ୍ୱୀକାରୋକ୍ତି ସ୍ପଷ୍ଟ କରିଛି ଯେ,ବିଗତ ୧୦ ବର୍ଷ ଭିତରେ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୨ଗୁଣାରୁ ଅଧିକ ବୃଦ୍ଧି ପାଇଛି ।

୨୦୧୧ – ୨୦୧୨ ମସିହାରେ – ୯ ହଜାର ୧ ଶହ ୪୪ ଟଙ୍କା ଥିବାବେଳେ ବର୍ତ୍ତମାନ ୨୦୨୧-୨୨ ମସିହାରେ -୨୩ ହଜାର ୭ ଶହ ୬୧ ଟଙ୍କାରେ ପହଂଚିଛି । ଏହା ପୂର୍ବରୁ ୨୦୧୯ ମସିହାରେ – ୧୮ ହଜାର ୨ ଶହ ୨୮ ଟଙ୍କା ଥିବାବେଳେ, ୨୦୨୦ ମସିହାରେ – ୨୩ ହଜାର ୫ ଶହ ୨୪ ଟଙ୍କାକୁ ବୃଦ୍ଧି ପାଇଥିଲା । ଏଥିରୁ ସ୍ପଷ୍ଟ ଯେ, ଓଡ଼ିଶାର ମୁଣ୍ଡ ପିଛା ଋଣ ଭାର କ୍ରମାଗତ ଭାବେ ବଢ଼ି ବଢ଼ି ଚାଲିଛି । ଶାସକ ବିଜୁ ଜନତା ଦଳ ତରଫରୁ ସଫେଇ ଦିଆଯାଇ ଯାହା କୁହାଯାଉଛି ଯେ, ରାଜ୍ୟର ଋଣଭାର ଜି.ଏସ୍‌.ଡ଼ି.ପି. ବା ରାଜ୍ୟର ସକଳ ଘରୋଇ ଉତ୍ପାଦର ଏଫ୍‌.ଆର.ବି.ଏମ୍‌. ଆଇନ୍ ବା ବିତିୟ ଦାୟିତ୍ୱ ଓ ବଜେଟ ପରିଚାଳନା ନିୟମ – ୨୦୦୩ ଅନୁସାରେ ୨୫ ପ୍ରତିଶତ ଭିତରେ ରହିଛି, ତେଣୁ ଏହାଚିନ୍ତାଜନକ ବିଷୟ ନୁହେଁ, ଯାହା ଆଦୌ ଗ୍ରହଣ କରାଯାଇନପାରେ । ରାଜ୍ୟର ଋଣଭାର ଚଳିତ ଆର୍ଥିକ ବର୍ଷ ଶେଷ ସୁଧା ୧,୨୨,୯୧୭ କୋଟି ଟଙ୍କାରେ ପହଂଚିବାରେ ଆକଳନ କରାଯାଇଛି । ଏକଥା ସତ୍ୟ ଯେ, ପୂର୍ବରୁ ଥିବା ଋଣ ଉପରେ ସ୍ଥାୟୀ ସୁଧ ହାର ଯଥାକ୍ରମେ ୧୪ ପ୍ରତିଶତ ଓ ୧୮ ପ୍ରତିଶତ ଥିବାବେଳେ ଦ୍ୱାଦଶ ଅର୍ଥକମିଶନଙ୍କ ସୁପାରିଶ ଆଧାରରେ ଏହାକୁ କମ୍ କରାଯାଇ ବର୍ତ୍ତମାନ ୩ ପ୍ରତିଶତ, ୫ ପ୍ରତିଶତ ଓ ୭ ପ୍ରତିଶତ କରାଯାଇଅଛି । ତେଣୁ ରାଜ୍ୟ ସରକାର ଋଣ ଉପରେ ପ୍ରଦାନ କରୁଥିବା ସୁଧ କମିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ, ରାଜ୍ୟ ସରକାର କରୁଥିବା ଋଣ କିଭଳି ଭାବେ ବିନିଯୋଗ କରୁଛନ୍ତି ଯଦ୍ୱାରା କି ଦୀର୍ଘ ମିଆଦି ସୁତ୍ରରେ ସରକାରଙ୍କର ଆୟବୃଦ୍ଧି ଘଟିବ । ଶ୍ରୀ ଶତପଥି ଏକଥା ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି ଯେ, ପ୍ରଦେଶ କଂଗ୍ରେସ ବିକାଶଶୀଳ ଅର୍ଥନୀତିକୁ ଆଗକୁ ନେବା ପାଇଁ ଯେଉଁ ଋଣ କରିବାର ବ୍ୟବସ୍ଥା ରହିଛି ତାକୁ ବିରୋଧ କରେ ନାହିଁ । କିନ୍ତୁ ଋଣ କରିଥିବା ଅର୍ଥକୁ ସରକାର ସଠିକ୍ ମାର୍ଗରେ ବିନିଯୋଗ ନ କରି ଶସ୍ତା ଲୋକପ୍ରିୟତା ହାସଲ କରିବା ଓ ଭୋଟ ହାତେଇବା ପାଇଁ ନେଉଥିବା ପଦକ୍ଷେପକୁ ବିରୋଧ କରେ ସରକାର ବିଭିନ୍ନ ସୁତ୍ରରୁ ଋଣ କରି ତାକୁ ପୁଞ୍ଜି ଭାବରେ ବିନିଯୋଗ କରି ରାଜ୍ୟର ଆୟବୃଦ୍ଧି ଘଟାଇବା ତଥା ଦୀର୍ଘ ମିଆଦି ସୂତ୍ରରେ ଉପାର୍ଜନକ୍ଷମ ସ୍ଥାୟୀ ସଂପତ୍ତି ସୃଷ୍ଟି କରିବା ପରିବର୍ତ୍ତେ ଋଣ ଟଙ୍କାର କୁ-ବିନିଯୋଗ ରାଜ୍ୟର ମୁଣ୍ଡ ପିଛା ଋଣଭାର ବଢ଼ାଇ ଚାଲିଛନ୍ତି । ଅତ୍ୟନ୍ତ ଉଦ୍‌ବେଗଜନକ ବିଷୟ ଏହି ଯେ, ସରକାର ଋଣ ଟଙ୍କାର ୯୭ ପ୍ରତିଶତ ଦୀର୍ଘ ମିଆଦି ସୂତ୍ରରେ ଉପାର୍ଜନକ୍ଷମ ସ୍ଥାୟୀ ସଂପତି ସୃଷ୍ଟି କରିବାରେ ବିନିଯୋଗ କରନ୍ତି ନାହିଁ । ଯାହାଫଳରେ ଆଜି ଓଡ଼ିଶା ଭଳି ରାଜ୍ୟ ଦାଦନ ଶ୍ରମିକ ସମସ୍ୟା ନେଇ ଜର୍ଜରିତ ଅବସ୍ଥାରେ ରହିଛି ।

ରାଜ୍ୟରେ ରୋଜଗାରର ଅବକାସ ନାହିଁ, କର୍ମନିଯୁକ୍ତି ଆଶାରେ ଲକ୍ଷ ଲକ୍ଷ ଲୋକ ରାଜ୍ୟ ବାହାରକୁ ଯାଉଛନ୍ତି । ବିଗତ ଦଶବର୍ଷ ଭିତରେ ସରକାର
ସ୍ଥାୟୀ ସଂପତି ( Long Term Assets) ସୃଷ୍ଟି କରିବାରେ ଋଣ ଟଙ୍କାକୁ ଆଦୌ ବିନିଯୋଗ କରିନାହାନ୍ତି । ବଜେଟରେ କ୍ୟପିଟାଲ ଇନ୍‌ଭେଷ୍ଟମେଂଟ ପାଇଁ ଥିବା ଅର୍ଥ ରାଶି ଅନ୍ୟବାବଦରେ ଖର୍ଚ୍ଚ କରାଯାଏ । ରାଜ୍ୟରେ ୧୫ ହଜାରରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଏମ୍‌.ଏସ୍‌.ଏମ୍‌.ଇ ବନ୍ଦ ପଡ଼ିଛି । ନବୀନ ବାବୁ ୨୦୧୫ ମସିହାରେ ଘୋଷଣା କରିଥିଲେ ଯେ, ପ୍ରତ୍ୟେକ ଏମ୍‌.ଏସ୍‌.ଏମ୍‌.ଇ କୁ କ୍ୟାପିଟାଏ ଇନ୍‌ଭେଷ୍ଟମେଂଟ ଉପରେ ୨୫ ପ୍ରତିଶତ ସବ୍‌ସିଡ଼ି ଦିଆଯିବ, ଯାହା ଆଜି ପର୍ଯ୍ୟନ୍ତ ପୂରଣ କରାଗଲା ନାହିଁ ।
କଂଗ୍ରେସର ଦାବୀ
୧. ରାଜ୍ୟ ସରକାର ଚଳିତ ବିଧାନ ସଭାରେ ବିଭିନ୍ନ ସୂତ୍ରରୁ କରିଥିବା ଋଣ, ଏହାର ସୁଧ ହାର ଓ ଏହାର ବିନିଯୋଗର ବ୍ୟବସ୍ଥାକୁ ନେଇ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ।

୨. ବିଗତ ୨୧ ବର୍ଷ ଧରି ଶାସନ କରୁଥିବା ବି.ଜେ.ଡ଼ି ସରକାର ଋଣକୁ ପୁଞ୍ଜିଭାବରେ ବ୍ୟବହାର କରି ରାଜ୍ୟର ଆୟ କେତେ ବୃଦ୍ଧି କରିଛନ୍ତି ତାକୁ ସର୍ବସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରନ୍ତୁ ।

୩. ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ଠାରୁ ଆଣିଥିବା ଋଣର ପରିମାଣ ଓ ଖର୍ଚ୍ଚ କରୁଥିବା ଦିଗ ଗୁଡ଼ିକ ସଂପର୍କରେ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ ଚିତ୍ର ପ୍ରଦାନ କରନ୍ତୁ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋରଞ୍ଜନ ଦାସ, ପଦ୍ମାକର ଗୁରୁ ଉପସ୍ଥିତ ଥିଲେ ।