ଦିଲ୍ଲୀକୁ ଫେରିପାରେ ଅଡ-ଇଭେନ୍!

ନୂଆଦିଲ୍ଲୀ : ରାଜଧାନୀରେ ଖୁବ୍‌ଶୀଘ୍ର ଫେରିପାରେ ଅଡ୍‌-ଇଭେନ ଫର୍ମୁଲା । ବାୟୁ ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ପ୍ରତ୍ୟେକ ଗାଡ଼ିରେ ବ୍ୟବହୃତ ଇନ୍ଧନ ସମ୍ୱନ୍ଧରେ କଲର ଷ୍ଟିକର ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପରିବହନ ବିଭାଗ ଦ୍ୱାରା ଜାରି କରାଯାଇଥିବା ନୋଟିସ୍‌ରେ କୁହାଯାଇଛି ଯେ, ସୁପ୍ରିମ୍‌କୋର୍ଟଙ୍କ ଆଦେଶ ଏବଂ କେନ୍ଦ୍ରୀୟ ମୋଚରଯାନ ବାହନ ନିୟମ, ୧୯୮୯ ଅନୁସାରେ ଦିଲ୍ଲୀରେ ରେଜିଷ୍ଟର ହୋଇଥିବା ସମସ୍ତ ଗାଡ଼ି ଉପରେ କ୍ରୋମିୟମ ଆଧାରିତ ହଲୋଗ୍ରାମ ଷ୍ଟିକର ଲଗାଇବା ଅନିବାର୍ଯ୍ୟ ।

ଏଥିପାଇଁ ହଲୋଗ୍ରାମ ବିକ୍ରେତାଙ୍କୁ ସଂପର୍କ କରିବାକୁ କୁହାଯାଇଛି । ନିରୀକ୍ଷଣ ସମୟରେ ଗାଡ଼ିଟି କେଉଁ ଇନ୍ଧନରେ ଚାଲୁଛି ସେନେଇ ଟ୍ରାଫିକ୍‌ ପୋଲିସ ଅବଗତ ହୋଇପାରିବେ । ପେଟ୍ରୋଲ ବା ସିଏନଜି ପାଇଁ ନୀଳ ଏବଂ ଡିଜେଲ୍‌ ପାଇଁ ନାରଙ୍ଗୀ ଷ୍ଟିକର ନିର୍ଦ୍ଧାରିତ କରାଯାଇଛି । ଯଦି କୌଣସି ଚାଳକ ଏହି ନିୟମ ଖିଲାପ କରୁଛନ୍ତି ତେବେ ତାଙ୍କୁ ଜୋରିମାନା ଦେବାକୁ ପଡ଼ିବ ବୋଲି ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି ।