ବିଦେଶରୁ ଆସିଲେ ୭ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ

ନୂଆଦିଲ୍ଲୀ : ସାରା ବିଶ୍ୱରେ ଏବେ ପୁଣିଥରେ କୋଭିଡ ସଂକ୍ରମଣ ବଢିବାରେ ଲାଗିଛି । ସେହିପରି ଭାରତରେ ମଧ୍ୟ ଦୈନିକ ମାମଲା ଏକ ଲକ୍ଷ ପାର କରିଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର ବିଦେଶ ଯାତ୍ରୀଙ୍କ ପାଇଁ ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହି ନୂଆ ଗାଇଡଲାଇନ ଅନୁଯାୟୀ ଭାରତ ଆସୁଥିବା ସମସ୍ତ ବିଦେଶ ଯାତ୍ରୀଙ୍କ ପାଇଁ ୭ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟିନ କରାଯିବା ସହ ବିମାନ ବନ୍ଦରରେ ମଧ୍ୟ କୋଭିଡ୍‌ ଟେଷ୍ଟ କରାଯିବ ।

ସୂଚନା ଅନୁଯାୟୀ ଯଦି ରିପୋର୍ଟ ନେଗେଟିଭ ଆସେ ତାହାଲେ ୭ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡିବ । ଯଦି ପଜିଟିଭ ଆସେ ତେବେ ଯାତ୍ରୀଙ୍କୁ ଆଇସୋଲେସନରେ ରଖାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହି ଗାଇଡଲାଇନ ଆସନ୍ତା ଜାନୁଆରୀ ୧୧ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲାଗୁ ହେବ । ସେହିପରି ବିମାନ ବନ୍ଦରରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା । ଯଦି ସ୍କ୍ରିନିଂ ସମୟରେ କୌଣସି ପ୍ରକାର ଲକ୍ଷଣ ପ୍ରକାଶ ପାଇଲେ ଯାତ୍ରୀଙ୍କୁ ତୁରନ୍ତ ଆଇସୋଲେଟ କରାଯାଇ ଚିକିତ୍ସା ଯୋଗାଇ ଦିଆଯିବ ଏହି ଆଦେଶରେ ଜାରି ହୋଇଛି ।