୨ ସେତୁର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱେର(ଏସ୍ ନ୍ଯୁଜ ): ତିର୍ତ୍ତୋଲ, କୁଜଙ୍ଗ, ମାହାଙ୍ଗା, ରଘୁନାଥପୁର ଓ ଗରଦପୁରରେ ଯୋଗାଯୋଗର ଆରମ୍ଭ ହେଲା ନୂଆ ଯୁଗ। ତିର୍ତ୍ତୋଲ ଅଞ୍ଚଳ ମହାନଦୀ ଉପରେ ୨ ଟି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିର୍ତ୍ତୋଲ-ପୋଷଳ, ଓ ଜଇପୁର-କଟିକଟା ସେତୁର ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଭିତ୍ତିଭୂମିର ବିକାଶ ଉପରେ ସବୁବେଳେ ଜୋର ଦିଆଯାଉଛି । ଗତ ୨୦ ବର୍ଷରେ ଓଡିଶା ଭିତ୍ତିଭୂମି କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ୨ଟି ସେତୁ ଦ୍ୱାରା ୨୮ଟି ଗ୍ରାମ ପଞ୍ଚାୟତର ଲୋକ ସୁବିଧା ପାଇବେ ।’ କରୋନା ଲଢେଇ ସହ ବିକାଶ କାମ ମଧ୍ୟ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ତିର୍ତ୍ତୋଲ-ପୋଷଳ ହାଇଲେବେଲ ସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା ସେତୁର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଛନ୍ତି ।

ଏହି ଅବସରରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ କମିଶନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଯୋଗ ଦେଇଥିଲେ।