ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ବର: ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କୁ ଆୟ ବର୍ହିଭୂତ ସଂପତ୍ତି ଅଭିଯୋଗରେ ଭିଜିଲାନ୍ସ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି। ଏଡିଏମ୍ ବିଶ୍ବଜିତ ମହାପାତ୍ରଙ୍କୁ ଜେରା କରିବା ପରେ ଗତକାଲି ସୁନ୍ଦରଗଡ଼ରୁ ଭୁବନେଶ୍ବର ଅଣାଯାଇଥିଲା। ଓଡିଶା ଭିଜିଲାନ୍ସର ୮ ଜଣ ଡିଏସପି, ୨ ଇନିସ୍ପେକ୍ଟର, ୫ ଏଏସଆଇ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢାଉ କରିଥିଲା।

ସୂଚନାଯୋଗ୍ୟ, ଗତ ୧୧ ତାରିଖ ଦିନ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଏକକାଳୀନ ଭାବେ ସୁନ୍ଦରଗଡ଼ ସହରରେ ଥିବା ତାଙ୍କ ସରକାରୀ ଆବାସ ଓ ଅଫିସ ସହ ଖୋର୍ଦ୍ଧା, ଜଗତସିଂପୁର ରେଢୁଆସ୍ଥିତ ପୈତୃକ ଘର, ରୁଦ୍ରପୁର, ବାଲିଅନ୍ତା, ଭୁବନେଶ୍ବର ନୟାପଲ୍ଲୀ, ରସୁଲଗଡ଼ରେ କିଣିଥିବା ଘର, ମଣିଜଙ୍ଗା ଜଡାତିରା ସମ୍ପର୍କୀୟଙ୍କ ଘରେ ଓ ରାଜଗାଙ୍ଗପୁର ଓସିଏଲ୍ କମ୍ପ୍ଲେକ୍ସସ୍ଥିତ ତାଙ୍କ ଶଳାଙ୍କ ଘରେ ଚଢ଼ଉ ହୋଇଥିଲା। ଏଯାଏ ପ୍ରାୟ ୧୦ କୋଟିର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।

ଶ୍ରୀ ମହାପାତ୍ରଙ୍କର ଭୁବନେଶ୍ବରର ନହରକଣ୍ଟାଠାରେ ୮୯ ଲକ୍ଷ ଟଙ୍କା ମୂଲ୍ୟର ଏକ ଦୁଇମହଲା ଘର ରହିଛି। ଏହାବ୍ୟତୀତ ଭୁବନେଶ୍ବର ଓ ଜଗତସିଂହପୁରରେ ମୋଟ୍ ୧୦ଟି ପ୍ଲଟ୍ ରହିଛି। ଏସବୁର ମୂଲ୍ୟ ହିସାବ କରାଯାଉଛି, ତାହା କୋଟି କୋଟି ହେବ ବୋଲି ଅନୁମାନ କରାଯାଉଛି। ବାଲିଅନ୍ତାରେ ଶ୍ରୀ ମହାପାତ୍ରଙ୍କ ପତ୍ନୀଙ୍କ ନାଁରେ ଗୋଟିଏ ସିମେଣ୍ଟ ଗୋଦାମ ଅଛି। ଏହାବ୍ୟତୀତ ୭ଟି ବ୍ୟାଙ୍କରେ ମୋଟ୍ ୧କୋଟି ୯୦ ଲକ୍ଷ ୫୭ହଜାର ୯୮୩ ଟଙ୍କା ଜମା ଅଛି। ସେ ପ୍ରାୟ ୧୦ଲକ୍ଷ ୬୦ ହଜାର ଟଙ୍କା ୭ଟି ବିମା ପଲିସିରେ ଜମା କରିଛନ୍ତି। ଚଢ଼ାଉରେ ୩ ଲକ୍ଷ ନଗଦ ଟଙ୍କା ଓ ୩୫୦ ଗ୍ରାମ ସୁନା ବାହାରିଛି।