ଜିଦ୍‌ରେ ଅଟଳ ପୁଟିନ୍‌, ବାରୁଦ ଗଦାରେ ୟୁକ୍ରେନ୍

କିଭ୍/ମସ୍କୋ/ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ ଯୁଦ୍ଧକୁ ୧୧ ଦିନ ପୂରିଛି। କ୍ରମାଗତ ରୁଷ୍ ତା’ର ଆକ୍ରମଣ ତୀବ୍ର କରୁଥିବାବେଳେ ୟୁକ୍ରେନ୍ ମଧ୍ୟ ୟୁରୋପୀୟ ରାଷ୍ଟ୍ର ଓ ନାଟୋର ପରୋକ୍ଷ ସହାୟତାରେ ରୁଷୀୟ ସେନାକୁ ଜୋରିଦାର ପ୍ରତିରୋଧ କରୁଛି। ଏଭଳି ସ୍ଥିତିରେ ରବିବାର ରୁଷ୍ର ଘନଘନ ରକେଟ୍ ମାଡ଼ରେ ୟୁକ୍ରେନ୍ର କେନ୍ଦ୍ରୀୟ-ପଶ୍ଚିମାଞ୍ଚଳର ରାଜଧାନୀ ଭେନେସ୍ତିଆରେ ଅବସ୍ଥିତ ବେସାମରିକ ବିମାନ ବନ୍ଦର ସଂପୂର୍ଣ୍ଣ ଧ୍ବଂସ ପାଇଯାଇଛି ଓ ବିମାନ ବନ୍ଦରଟି ଜଳିପୋଡି ଛାରଖାର ହୋଇଯାଇଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲେଡିମିର ଜେଲେନସ୍କି କହିଛନ୍ତି। ରୁଷ୍ ସେନା ୮ଟି କ୍ଷେପଣାସ୍ତ୍ର ମାଡ଼କରି ଏହାକୁ ନଷ୍ଟ କରିଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ନିଜ ଜିଦ୍ରେ ଅଟଳ ରହିଛନ୍ତି। ଦାବି ପୂରଣ ହେଲେ ୟୁକ୍ରେନ୍ରେ ଯୁଦ୍ଧବିରତି ଘୋଷଣା କରାଯିବ ବୋଲି ସେ ପୁଣିଥରେ ସ୍ପଷ୍ଟ କରିଛନ୍ତି। ଏପରିକି ଆଇଏଇଏ ମଧ୍ୟସ୍ଥତାରେ ରୁଷ୍ ଓ ୟୁକ୍ରେନ୍ ଆଲୋଚନା ପାଇଁ ପୁଟିନ୍ ରାଜି ହୋଇଥିଲେ ମଧ୍ୟ ଏହା ଚେର୍ଣ୍ଣାବିଲ୍ରେ ନ କରି ଅନ୍ୟ କୌଣସି ତୃତୀୟ ରାଷ୍ଟ୍ରରେ ଆଭାସୀ ଜରିଆରେ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

ଏବେ ୟୁକ୍ରେନ୍ରେ ପାଣି ଓ ଖାଦ୍ୟ ସଙ୍କଟ ଗୁରୁତର ହୋଇଛି। ରୁଷ୍ ଏବେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ସହିତ ଜନବସତି ଉପରେ ମଧ୍ୟ ଆକ୍ରମଣ କରୁଥିବାରୁ ୟୁକ୍ରେନ୍ର ବିଭିନ୍ନ ସହରରେ କର୍ଫ୍ୟୁ ଲାଗୁ କରାଯାଇଛି। ଲୋକେ ବିଭିନ୍ନ କୋଠାର ଭୂତଳ ଅଂଶ ଓ ଭୂତଳ ରେଳ ଷ୍ଟେସନ୍ ଭିତରେ ଆଶ୍ରୟ ନେଇଛନ୍ତି। ସେମାନଙ୍କ ଲାଗି ଖାଦ୍ୟ ଓ ପାନୀୟ ଜଳର ଗୁରୁତର ଅଭାବ ପରିଲକ୍ଷିତ ହୋଇଛି। ଇତିମଧ୍ୟରେ ରୁଷ୍ ସେନାର ୟୁକ୍ରେନ୍ ରାଜଧାନୀ ଦଖଲ ଲାଗି ଆକ୍ରମଣ ଅଧିକ ପ୍ରଚଣ୍ଡ ହୋଇଛି। କିଭ୍ ଆଡ଼କୁ ରୁଷ୍ର ୬୪ କିଲୋମିଟର ଦୀର୍ଘ ସେନା କାଫିଲା ମାଡି ଆସୁଛି। ରବିବାର କିଭ୍ ଉପରେ ଉଡୁଥିବା ରୁଷ୍ର ଏକ ଲଢୁଆ ଯୁଦ୍ଧ ବିମାନକୁ ୟୁକ୍ରେନ୍ ପକ୍ଷରୁ ଖସାଇ ଦିଆଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନକ୍ସି ୟୁକ୍ରେନ୍କୁ ନୋ-ଫ୍ଲାଇଂ ଜୋନ୍ ଘୋଷଣା କରିଛନ୍ତି। ରୁଷ୍ ସେନା ୟୁକ୍ରେନ୍ର ଦକ୍ଷିଣାଞ୍ଚଳ ସୀମାକୁ କୃଷ୍ଣ ସାଗରଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ କରିବା ପାଇଁ ଯୋଜନା କରୁଥିବା ୟୁକ୍ରେନ୍ ନିରାପତ୍ତା ଅଧିକାରୀ କହିଛନ୍ତି।

ସେହିଭଳି ତୁର୍କୀ ରାଷ୍ଟ୍ରପତି ତ୍ୟାୟିପ୍ ଏର୍ଡୋଗାନ୍ ମଧ୍ୟ ଟେଲିଫୋନ୍ କରି ପୁଟିନ୍ଙ୍କୁ ୟୁକ୍ରେନ୍ରେ ଯୁଦ୍ଧବିରତି ଘୋଷଣା କରି ଶାନ୍ତି ରାଜିନାମା ସ୍ବାକ୍ଷର କରିବାକୁ ନିବେଦନ କରିଛନ୍ତି। ମାତ୍ର ଯଦି ୟୁକ୍ରେନ୍ ଯୁଦ୍ଧ ବନ୍ଦ କରି ରୁଷ୍ର ଦାବିକୁ ଗ୍ରହଣ କରିନିଏ, ତେବେ କ୍ରେମ୍ଲିନ୍ ତା’ର ଶାନ୍ତି ଚୁକ୍ତି କରିବାକୁ ପ୍ରସ୍ତୁତ ରହିଛି ବୋଲି ପୁଟିନ୍ କହିଛନ୍ତି।
ଅନ୍ୟପକ୍ଷରେ ପୁଟିନ୍ କୌଣସି କଥା ନ ଶୁଣି ଯୁଦ୍ଧ ଜାରି ରଖିଥିବାରୁ ରୁଷ୍ ବିରୋଧରେ ମାନବିକ ଆଧାରରେ ଅଧିକ ତଥା କଠୋର କଟକଣା ଲଗାଇବାକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ପୁଟିନ୍ ମଧ୍ୟ ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ରସଘର କଠୋର କଟକଣାକୁ ଏକପ୍ରକାର ରୁଷ୍ ବିରୋଧରେ ଯୁଦ୍ଧ ଘୋଷଣା ସହ ସମାନ ବୋଲି କହିଛନ୍ତି। ରୁଷ୍ ମଧ୍ୟ ଏସବୁ ରାଷ୍ଟ୍ରଙ୍କ ବିରୋଧରେ କଠୋର କଟକଣା ଲଗାଇବ ବୋଲି ପୁଟିନ୍ ପାଲଟା ଧମକ ଦେଇଛନ୍ତି।