ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ


ଭୁବନେଶ୍ବର (ଏସ୍ ନ୍ଯୁଜ) ପଞ୍ଚଭୂତରେ ଲୀନ ହେଲେ ବିଧାୟକ ପ୍ରଦୀପ ମହାରଥୀ ।ପୁରୀର ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ବିଲୀନ ହୋଇଛି ବିଜେଡିର ବରିଷ୍ଠ ନେତାଙ୍କ ମରଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଏହାପୂର୍ବରୁ ଡାକ୍ତରଖାନାରୁ ଆଜି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯାଇଥିଲା । ବିଭିନ୍ନ ରାଜନୈତିକ ଦଳର ନେତା ଦିବଂଗତ ମହାରଥୀଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ । ଏହା ପରେ ପାର୍ଥିବ ଶରୀର ବିଜେଡି ପାର୍ଟି ଅଫିସକୁ ନିଆଯାଇଥିଲା । ଦଳୀୟ କର୍ମୀ ଓ ନେତା ସେଠାରେ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ପୈତୃକ ଗାଁକୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା।

ପୈତୃକ ଗାଁରେ ଶେଷ ଦର୍ଶନ ପରେ ଶେଷ କୃତ୍ୟ ପାଇଁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଇଥିଲା ମହାରଥୀଙ୍କ ମରଶରୀର । ଏଠାରେ ବହୁ ରାଜନେତା ଓ ଦଳୀୟ କର୍ମୀ ଉପସ୍ଥିତ ଥିବା ଜଣାଯାଇଛି।

ତେବେ ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ୨ଦିନ ପୂର୍ବରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ ମେଦାନ୍ତରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ କୋରୋନାରେ ଆକ୍ରାନ୍ତ ହୋଇଥିଲେ ମହାରଥୀ। ସୁସ୍ଥ ହେବା ପରେ ପୁଣି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ୧୯୫୫ ମସିହା ଜୁଲାଇ ୪ରେ ଜନ୍ମ ଗ୍ରହଣ କରିଥିବା ମହାରଥୀ ୧୯୮୫ରେ ପ୍ରଥମ ଥର ବିଧାୟକ ହୋଇଥିଲେ ।