୫୦ବେରୋଜଗାର ଯୁବତୀଙ୍କୁ ଚାକିରୀ ଦେବେ ସୋନୁ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଲୋକଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ ୫୦ ଯୁବତୀଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଝାଡ଼ଖଣ୍ଡର ଏକ ଗାଁରେ ଲକଡାଉନ୍ ଯୋଗୁ ୫୦ ଜଣ ଯୁବତୀଙ୍କର ଚାକିରି ଚାଲିଯାଇଥଲା । ଏହାକୁ ନେଇ ଜଣେ ୟୁଜର ସୋନୁ ସୁଦଙ୍କୁ ସହାୟତାର ଗୁହାରି କରିଥିଲେ। ସୋନୁ ମଧ୍ୟ ଏହି ଅନୁରୋଧ ରକ୍ଷା କରିଛନ୍ତି। ଏଥିପାଇଁ ତାଙ୍କୁ ସବୁଠି ପ୍ରଶଂସା କରାଯାଉଛି।

ୟୁଜର ଜଣଙ୍କ ଖାଲି ବସିଥିବା କିଛି ଯୁବତୀଙ୍କର ଫଟୋ ଶେଆର୍ କରିଛନ୍ତି ସୋନୁଙ୍କୁ ସହାୟତାର ନିବେଦନ କରିଥିଲେ। ଏହାସହ ସେ ଲେଖିଥିଲେ, ଆମେ ଝାଡ଼ଖଣ୍ଡର ଧନବାଦ ଜିଲ୍ଲାରେ ରହୁଛୁ। ଲକଡାଉନ୍ କାରଣରୁ ଆମ ଗାଁର ୫୦ଜଣ ଯୁବତୀଙ୍କର ଚାକିରି ଚାଲିଯାଇଛି। ଯେଉଁକାରଣରୁ ଆମେ ସମସ୍ତେ ଏବେ ବେକାରୀ ଅଛୁ। ସମସ୍ତଙ୍କୁ ଚାକିରିର ବହୁତ ଆବଶ୍ୟକତା ରହିଛି। ଦୟାକରି ଆମର ସହାୟତା କରନ୍ତୁ।ଆଉ ଆମ ପରିବାରକୁ ଭୋକର ଦାଉରୁ ବଞ୍ଚାନ୍ତୁ।

ଜବାବରେ ସୋନୁ ଲେଖିଛନ୍ତି, ଧନବାଦରେ ଥିବା ଆମର ଏହି ୫୦ ଭଉଣୀ ସପ୍ତାହକ ଭିତରେ ଭଲ ଚାକିରି କରୁଥିବେ। ଏଥିପାଇଁ ମୁଁ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଉଛି। କରୋନା ମହାମାରୀ ସମୟରେ ସୋନୁ ବିଭିନ୍ନ ସହରରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ନିଜ ନିଜର ଘରେ ପହଞ୍ଚାଇଥିଲେ। ଏଥିସହ ବିଦେଶରେ ଫସିଥିବା ଛାତ୍ରଙ୍କୁ ମଧ୍ୟ ଭାରତ ଫେରାଇ ଆଣିବା ପାଇଁ ଯୋଜନା କରିଥିଲେ। ଆଉ ଏବେ ୫୦ ଯୁବତୀଙ୍କୁ ଚାକିରିର ପ୍ରତିଶୃତି ଦେଇ ସୋନୁ ପୁଣି ଠାରେ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବନାଇଛନ୍ତି।