ମୁମ୍ବାଇ : ମୃଣାଳ ଠାକୁରଙ୍କୁ ଯେତେବେଳେ ଅବସର ମିଳେ ସେତେବେଳେ ସେ କ’ଣ କରନ୍ତି । ନିଶ୍ଚୟ ପରିବାର ସଦସ୍ୟଙ୍କ ସହ ସମୟ କଟାଉଥିବେ, ନ ହେଲେ ଶପିଂ କରୁଥିବେ କିମ୍ବା ସାଙ୍ଗମାନଙ୍କ ସହ ଖଟିରେ ବ୍ୟସ୍ତ ରହୁଥିବେ । ହେଲେ ଅସଲ କଥା ସେଇଆ ନୁହେଁ । ଅବସର ମିଳିବା ମାତ୍ରେ ସେ କ’ଣ କରନ୍ତି ଜାଣନ୍ତି । ମନ ପସନ୍ଦର ବହି ପଢ଼ନ୍ତି । ତା’ ସହ ଘରେ ପାଳିଥିବା କୁକୁର ଏବଂ ବିଲେଇ ସହ ସମୟ କଟାନ୍ତି । ଏ ନେଇ ମୃଣାଳ କହନ୍ତି, ‘ପିଲାଟି ଦିନରୁ ପଶୁପକ୍ଷୀଙ୍କ ପ୍ରେମରେ ମୁଁ ପଡ଼ିଯାଇଛି । କେବଳ ସେତିକି ନୁହେଁ, ସେମାନଙ୍କର ସୁରକ୍ଷା ପାଇଁ କାମ କରୁଛି । କାରଣ ସେମାନଙ୍କ ସହ ମିଶିଲେ ମୋତେ ଯେଉଁ ଖୁସି ଲାଗେ ତାହା ମୁଁ ବର୍ଣ୍ଣନା କରିପାରିବି ନାହିଁ । ଆମ ପରିବାରର ସଦସ୍ୟମାନେ ଘରେ ଏକ ମିନି ଚିଡ଼ିଆଖାନା ଖୋଲିଛନ୍ତି କହିଲେ ଭୁଲ ହେବନାହିଁ । ସେଠାରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ଅଛନ୍ତି । ମୋତେ ଅବସର ମିଳିବା ମାତ୍ରେ ମୁଁ ସେମାନଙ୍କ ସହ ସମୟ କଟାଏ । ମୃଣାଳ ଅଭିନୟ କରୁଥିବା ‘ଗୁମରାହ’ର ଦ୍ୱିତୀୟ ସିଡ୍ୟୁଲ ଶୁଟିଂ ଏବେ ଚାଲୁ ରହିଛି ।