ଲକ୍ଷ୍ନୌ : ଦେଶ ହେଉ ଅବା ରାଜ୍ୟ ଦିନକୁ ଦିନ ଥମିବାର ନ ଧରୁନି ବଳାତ୍କାର ଘଟଣା । ଏହାରି ଭିତରେ ତ୍ତରପ୍ରଦେଶରେ ବଳାତ୍କାର ସମସ୍ତ ସୀମା ଅତିକ୍ରମ କରିଛି। ହାଥରସ୍ ମାମଲାକୁ ନେଇ ପୁରା ଦେଶରେ କମ୍ପନ ସୃଷ୍ଟି ହେଇଥିବା ବେଳେ ପୁଣି ଏକ ବଳାତ୍କାର ର ଚିତ୍ର ସାମ୍ନାକୁ ଆସିଛି । ଏକ ପଲିଟେକ୍ନିକ କଲେଜ ପରୀକ୍ଷା କେନ୍ଦ୍ରରେ କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଚାଲିଥିବାବେଳେ ଏହାର ପରିସରରେ ଜଣେ ୧୭ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଛି।
ତେବେ ଯୁବତୀଙ୍କ ଚିତ୍କାର ଶୁଣି ନିକଟରେ ଯାଉଥିବା ପୁଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଥାନାକୁ ନେବା ପରେ ଘଟଣା ସାମ୍ନାକୁ ଆସିଛି। ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ସେ ତାଙ୍କର ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଇଥିବାବେଳେ ୧୦-୧୨ ଜଣ ଛାତ୍ର ତାଙ୍କୁ ବଳ ପୂର୍ବକ କଲେଜ ପରିସରରେ ଥିବା ଏକ ହଷ୍ଟେଲ କୋଠରିକୁ ନେଇ ଯାଇଥିଲେ। ସେଠାରେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ବଳାତ୍କାର କରିଥିଲେ ଓ ଅନ୍ୟମାନେ ଆପତ୍ତିଜନକ ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ। ତାଙ୍କୁ ଓ ତାଙ୍କ ବନ୍ଧୁଙ୍କୁ ସେମାନେ ମାରପିଟ କରିବା ସହ କ୍ଷତାକ୍ତ କରିଥିଲେ। ସେମାନେ ତାଙ୍କଠାରୁ ୨ହଜାର ଟଙ୍କା ମଧ୍ୟ ଲୁଟି ନେଇଥିବା ଯୁବତୀ ଅଭିଯୋଗ କରିଛନ୍ତି।
ପୁଲିସ ସୋମବାର ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଯୁବତୀ ଭରତ ନାମକ ଅଭିଯୁକ୍ତକୁ ଚିହ୍ନଟ ପରେ ପୁଲିସ ଭରତ ସହିତ ରୋହିତ ସାଇନି ନାମକ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଘଟଣାର ତଦନ୍ତ ପାଇଁ ତିନିଟି ପୁଲିସ ଦଳ ଗଠନ କରାଯାଇଛି।