ବନ୍ୟା ପାଣିରେ ଅଧା ବୁଡିଲା ସ୍କୁଲ ବସ୍
ଶାଜାପୁର ଜିଲ୍ଲାର ବିକଲକେଡି ଗ୍ରାମ ନିକଟରେ ଏକ ସ୍କୁଲ ବସ ବନ୍ୟା ପାଣିର ଅଟକି ଯାଇଥିଲା…
ଭୋପାଳ: ମଧ୍ୟପ୍ରଦେଶର ପ୍ରାୟ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ନଦୀ ନାଳରେ ପାଣି ଭର୍ତ୍ତି ହୋଇଯାଇଛି । ବିଭିନ୍ନ ସ୍ଥାନରେ ରାସ୍ତା ଓ ବ୍ରିଜ ଉପର ଦେଇ ପାଣି ପ୍ରବାହିତ ହେଉଛି । ଏଭଳି ସ୍ଥିତିରେ ଜୀବନକୁ ବାଜି ଲଗାଇ ଲୋକଙ୍କୁ ଯାତ୍ରା କରିବାକୁ ପଡୁଛି । ଏହାରି ଭିତରେ ବନ୍ୟା ପାଣିରେ ଏକ ସ୍କୁଲ ବସ ଫସି ଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଶାଜାପୁର ଜିଲ୍ଲାର ବିକଲକେଡି ଗ୍ରାମ ନିକଟରେ ଏକ ସ୍କୁଲ ବସ ବନ୍ୟା ପାଣିର ଅଟକି ଯାଇଥିଲା । ୨୪ରୁ ଅଧିକ ସ୍କୁଲ ପିଲା ବସ ଭିତରେ ଫସି ରହିଥିଲେ । ଏପରିକି ବସଟି ପାଣି ଭିତରେ ଅଧା ବୁଡି ରହିଥିଲା ।
ଏହାଦେଖି ପରେ ପାଣି ଭିତରୁ ବସକୁ ବାହାର କରିବା ପାଇଁ ଆଗେଇ ଆସିଥିଲେ ଗାଁ ଲୋକେ । ଦଉଡି ବାନ୍ଧି ଏକ ଟ୍ରାକ୍ଟର ସହାୟତାରେ ବସକୁ ପାଣି ଭିତରୁ ଟାଣି ଆଣିଥିଲେ । ସୂଚନା ମୁତାବକ, ଏକ ଘରୋଇ ସ୍କୁଲ ବସଟି ଛୁଟି ହେବା ପରେ ଛାତ୍ରଛାତ୍ରୀଙ୍କୁ ଘରେ ଛାଡିବା ପାଇଁ ଯାଉଥିଲା । ଏହି ସମୟରେ ହଠାତ ବର୍ଷା ଯୋଗୁଁ ନାଳ ଉପରେ ପାଣି ପ୍ରବାହିତ ହେଉଥିବାରୁ ବସଟି ଅଧା ରାସ୍ତାରେ ଅଟକି ଯାଇଥିଲା ।