ପ୍ରତିରକ୍ଷାମନ୍ତ୍ରୀ ରାଜନାଥଙ୍କ ବଡ଼ ଘୋଷଣା

ସେ କହିଛନ୍ତି ଯେ ଭାରତ ପ୍ରତିରକ୍ଷା ଉପକରଣ ଆମଦାନୀକାରୀରୁ ଏବେ ରପ୍ତାନୀକାରୀ ହେଲାଣି….

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏକ ବଡ ଘୋଷଣା କରିଛନ୍ତି । ଦେଶର ୩ ସେନାଙ୍କ ମଧ୍ୟରେ ସମନ୍ୱୟ ଲାଗି କେନ୍ଦ୍ର ସରକାର ଏକ ମିଳିତ ଥିଏଟର କମାଣ୍ଡ ସ୍ଥାପନା କରିବାକୁ ଯାଉଛନ୍ତି । ସେ କହିଛନ୍ତି ଯେ ଭାରତ ପ୍ରତିରକ୍ଷା ଉପକରଣ ଆମଦାନୀକାରୀରୁ ଏବେ ରପ୍ତାନୀକାରୀ ହେଲାଣି । ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷାରେ କାର୍ଗିଲ ସହିଦଙ୍କ ସର୍ବୋଚ୍ଚ଼ ବଳିଦାନକୁ ଦେଶ ଭୁଲିପାରିବନି ବୋଲି ରାଜନାଥ କହିଛନ୍ତି । ରାଜନାଥ କହିଛନ୍ତି ଯେ ଜୁନ ୨୦୨୧ରେ ଥିଏଟର ଯୋଜନାର ପରିକଳ୍ପନା କରିଥିଲେ । ଏଥିଲାଗି ଏକ ୮ ସଦସୀୟ ପ୍ୟାନେଲର ମଧ୍ୟ ଗଠନ ହୋଇଥିବା କହିଛନ୍ତି ।

ତେବେ ଥିଏଟର କମାଣ୍ଡ ସ୍ଥାପନା ଲାଗି ୫ ବର୍ଷ ସମୟ ଲାଗିପାରେ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଥିଏଟର କମାଣ୍ଡର ଉପଯୁକ୍ତ ପ୍ରୟୋଗ ଯୁଦ୍ଧକାଳରେ ହୋଇଥାଏ । ଯେତେବେଳେ ଭବିଷ୍ୟତରେ ଯୁଦ୍ଧ ଆକଳନ କରାଯାଏ ସେତେବେଳେ ୩ ସେନା ମଧ୍ୟରେ ସମନ୍ୱୟ ଲାଗି ଏପରି କମାଣ୍ଡ ଗଠନ ହୋଇଥାଏ । ଏଥିରେ ୩ ସେନା ସେମାନଙ୍କ ସଂସାଧନ ଓ ଅସ୍ତ୍ରଶସ୍ତ୍ରର ମିଳିତ ଉପଯୋଗ କରିବେ ।